ଏକାଠି ଜନ୍ମ, ଏକାଠି ମୃତ୍ୟୁ । ମାଆ ଗର୍ଭରୁ ସାଙ୍ଗ ହୋଇ ଆସିଥିଲେ, ଶ୍ମଶାନକୁ ବି ସାଙ୍ଗ ହୋଇ ଚାଲିଗଲେ । ମାଆ ବିଷ ପିଇ ଦେବା ପରେ ଆତ୍ମହତ୍ୟା କଲେ ଦୁଇ ଭାଇ ଜଗା-ବଳିଆ । ମୃତ୍ୟୁ ପରେ ମଶାଣୀରେ ଜଳିଳା ତିନି ଜଣଙ୍କ ଜୁଇ… ବରଗଡରୁ ଆସିଲା ଛାତିଥରା କାହାଣୀ

4,429

କନକ ବ୍ୟୁରୋ: ଏକାଠି ଜନ୍ମ, ଏକାଠି ମୃତ୍ୟୁ । ସାଙ୍ଗ ହୋଇ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ । ସ୍ନେହ ମମତାର ମୂଲ ଦେବାକୁ ବିଷ ପିଇଦେଲେ ଦୁଇ ଭାଇ । ଆତ୍ମହତ୍ୟାର ଅଫେରା ପଥରେ ମାଆ ଚାଲିଯିବା ପରେ ପିଲା ବାଛିନେଇଥିଲେ ସେହି ବାଟ । ବାସ୍ ! ତାପରେ ଗାଁ ମଶାଣୀରେ ଏକାଠି ଜଳିଛି ମାଆ ସହ ଦୁଇ ପୁଅ ଜଗା-ବଳିଆଙ୍କ ଜୁଇ…

ବରଗଡ ଜିଲ୍ଲା ସଦର ଥାନା ଚାରପାଲି ଗାଁରେ ପାରିବାରିକ କଳହର କରୁଣ ପରିଣତି ବିଷରେ ଶେଷ ହୋଇଛି । ଆଉ ଏ ବିଷ ତିନି ତିନି ଜଣଙ୍କ ଜୀବନ ନେଇଛି । ସାମାନ୍ୟ ବଚସା ଯେ ଏତେ ଭୟଙ୍କର ହୋଇଥାଏ ତାହା ଏହି କାହାଣୀ ଶୁଣିଲେ ଆପଣ ଜାଣିପାରିବେ । ଘରୋଇ ବଚସା ନେଇ ଯେତେବେଳେ ମାଆ ଆତ୍ମହତ୍ୟା କରିବାକୁ ବିଲକୁ ବିଷ ଧରି ଦୌଡିଥିଲେ ଠିକ ସେତିକି ବେଳେ ଦୁଇ ପୁଅ ମଧ୍ୟ ମାଆ ପଛେପଛେ ଧାଇଁଥିଲେ । ଆଉ ମାଆ ବିଷ ପିଇଦେବା ପରେ ମାଆକୁ ନିଜଠୁ ବି ଅଧିକ ଭଲପାଉଥିବା ଦୁଇ ପୁଅ ଆଉ ବଞ୍ଚିରହି କି ଲାଭ କହି ବିଷ ପିଇଦେଇଥିଲେ । ତେବେ ଘଟଣାସ୍ଥଳରେ ମାଆର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଖି ବୁଝିଥିଲେ ଜଗା-ବଳିଆ । ମମତା ପାଇଁ ମୃତ୍ୟୁପାନ କରିବା ପରେ ମୃତ୍ୟୁର ମୁକସାକ୍ଷୀ ଭାବେ ବିଲ ମଝିର ଏ ଗାମୁଛା ଆଉ ଚପଲ ହିଁ ପଡିଛି ।

ସେପଟେ ଦୁଇ ଭାଇ ଓ ମାଆର ଆକସ୍ମିକ ମୃତ୍ୟୁ ପରେ ଭଉଣୀ ଭାଙ୍ଗି ପଡିଛି । ପ୍ରିୟଜନଙ୍କୁ ହରାଇ ବାହୁନି ବାହୁନି କାନ୍ଦୁଛି । କାଲି ଯେଉଁ ଚୁଲିମୂଳେ ମାଆ ରୋଷେଇ କରି ଭାଇଭଉଣୀଙ୍କୁ ଖୁସିରେ ଖାଇବାକୁ ଦେଉଥିଲା । ଆଜି ସେହି ଚୁଲି ଅଛି ହେଲେ ଚୁଲିମୂଳରେ ମାଆ ନାହିଁ । ଦୁଇ ଭାଇ ଗଲା ପରେ କାମଧନ୍ଦା ପାରୁନଥିବା ବାପାଙ୍କୁ ନେଇ କେମିତି ଚଳିବ କୁନି ଝିଅ । ସେହି ଚିନ୍ତାରେ ଲୁହ ଢାଳୁଛି…