କୋଲକାତାର ଘରୋଇ ହସ୍ପିଟାଲରେ ସଫଳ ହେଲା ହୃତପିଣ୍ଡ ପ୍ରତ୍ୟାରୋପଣ । ପୁଣି ପୂର୍ବଭଳି ହସିବ ଘଟଗାଁ’ର କୁନି ପୁଅ ବାଦଲ ।

290

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷର ଯନ୍ତ୍ରଣାରୁ ମିଳିବ ମୁକ୍ତି । ପୁଣି ପୂର୍ବଭଳି ହସିବ ଏବଂ ଖେଳିବ ଘଟଗାଁର କୁନି ପୁଅ ବାଦଲ । ନିକଟରେ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାର ବିରଳ ଅସ୍ତ୍ରୋପଚାର କରାଯାଇ ହୃତପିଣ୍ଡ ପ୍ରତ୍ୟାରୋପଣ କରାଯାଇଛି । ଯାହାକି ଓଡିଶାର ପ୍ରଥମ ଘଟଣା ବୋଲି କହିଛନ୍ତି ବାଦଲକୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କୋଲକାତା ନେଇଥିବା ଡାକ୍ତର ମାନସ ପଣ୍ଡା ।

ହାର୍ଟ ଟ୍ରାନ୍ସପ୍ଲାଂଟ ଅର୍ଥାତ୍ ହୃତପିଣ୍ଡ ପ୍ରତ୍ୟାରୋପଣ ହେଉଛି ଏକ ବିରଳ ଅସ୍ତ୍ରୋପଚାର । ଜଣେ ମସ୍ତିଷ୍କ ଅଚଳ ବା ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ହୃତପିଣ୍ଡ କାଢି ଜଣେ ହୃଦରୋଗୀଙ୍କ ଠାରେ ପ୍ରତ୍ୟାରୋପଣ କରାଯାଏ । ଏଥିରେ ବ୍ରେନ୍ଡେଡ୍ ବ୍ୟକ୍ତିଙ୍କ ହାର୍ଟକୁ କାଢି ହାର୍ଟ ବକ୍ସରେ ରଖିଦିଅନ୍ତି ଡାକ୍ତର । ସେହି ସମୟ ଭିତରେ ହୃତପିଣ୍ଡ ପ୍ରତ୍ୟାରୋପଣ ପାଇଁ ଅପେକ୍ଷା କରିଥିବା ରୋଗୀଙ୍କୁ ଅପରେସନ୍ ଥ୍ରିଏଟରରେ ପ୍ରସ୍ତୁତ କରି ରଖାଯାଇଥାଏ । ଆଉ ସେହି ହୃତପିଣ୍ଡକୁ ଆଣି ପ୍ରତ୍ୟାରୋପଣ କରିବା ପରେ ଜୀବନ ଫେରି ପାଇଥାନ୍ତି ଜଣେ ହୃଦରୋଗୀ ।

କେନ୍ଦୁଝର ଘଟଗାଁ ବ୍ଲକ୍ କୁଣ୍ଡପୀଠା ଗାଁର ରବିନ୍ଦ୍ର ପଇଦାଙ୍କ ପୁଅ ବାଦଲ । ୩ ବର୍ଷ ତଳେ କୁନି ପୁଅ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାକୁ ନେଇଥିଲେ ରବିନ୍ଦ୍ର । ଜନ୍ମରୁ ବାଦଲ ହୃଦରୋଗରେ ପୀଡିତ ଥିବାରୁ ହୃତପିଣ୍ଡ ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ଅର୍ଥ ଅଭାବରୁ ବାଦଲଙ୍କ ଚିକିତ୍ସା ଅଟକି ରହିଥିବା ବେଳେ ହାର୍ଟ ଟ୍ରାନ୍ସପ୍ଲାଂଟ ବାବଦ ସମସ୍ତ ଖର୍ଚ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରିୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ହେଲେ କରୋନା ଯୋଗୁଁ ହାର୍ଟ ଡୋନର ମିଳିନଥିଲେ କି ବାଦଲର ହାର୍ଟ ଟ୍ରାନ୍ସପ୍ଲାଂଟ ହୋଇ ପାରିନଥିଲା । ସୌଭାଗ୍ୟ ବଶତଃ ୩ଦିନ ତଳେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଘଟଗାଁର ବାଦଲଙ୍କ ଦେହରେ ହାର୍ଟ ଟ୍ରାନ୍ସପ୍ଲାଂଟ ହୋଇଛି, ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

କୋଲକାତା ସ୍ଥିତ ନାରାୟଣ ମଲ୍ଟି ହସ୍ପିଟାଲରୁ ବାଦଲଙ୍କ ବାପା ରବିନ୍ଦ୍ରଙ୍କୁ ଫୋନ ଆସେ, ହାର୍ଟ ଡୋନର ମିଳିଯାଇଛନ୍ତି । ସେ ହାର୍ଟ ବା ହୃତପିଣ୍ଡ ଏବଂ ବୃକକ ବା କିଡୀନ ଦାନ କରିବେ । ତୁରନ୍ତ ବାଦଲକୁ ଆଣି ଡାକ୍ତରଖାନାରେ ପହଂଚନ୍ତୁ । ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଂଟ କରାଯିବ । ଏହାପରେ ଫୋନ କଲ ପାଇଁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ମାନସ କୁମାର ପଣ୍ଡା ନେତୃତ୍ୱରେ ଆମ୍ବୁଲାନ୍ସରେ ବାଦଲଙ୍କୁ କୋଲକାତା ସ୍ଥିତ ନାରାୟଣ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମଙ୍ଗଳବାର ଦିନ ରାତି ପ୍ରାୟ ସାଢେ ୮ଟାରେ ତାଙ୍କ ଦେହରେ ହୃତପିଣ୍ଡ ପ୍ରତ୍ୟାରୋପଣ କରାଯାଇଥିଲା ବୋଲି ଡାକ୍ତର ମାନସ ସୂଚନା ଦେଇଛନ୍ତି ।