ଘରେ ମୋର ଦଶମାସର ଝିଅ କଇଁ କଇଁ କାନ୍ଦୁଛି…ସଙ୍କଟ ସମୟରେ ସ୍ନେହକୁ ଛାଡି ମୁଁ ଡ୍ୟୁଟି ଯାଉଛି… ସେବା-ସ୍ନେହ ମଝିରେ କର୍ତ୍ତବ୍ୟ କରୁଥିବା ମାଆକୁ କୁନି ଝିଅ କରୋନା ଯୋଦ୍ଧା ସଜାଉଛି…

458

କନକ ବ୍ୟୁରୋ: ମାଆ ଯାଉଛି, ଝିଅ କାନ୍ଦୁଛି । କରୋନା ସହ ଲଢିବାକୁ ଘରେ କୁନି ଝିଅକୁ ଛାଡି ଡ୍ୟୁଟି ବାହାରି ଯାଉଛି ମାଆ । ବିଦାୟ ପୂର୍ବରୁ ତା ଗେହ୍ଲି ଝିଅକୁ ଗେଲ କରି ଯିବା ବେଳେ ବିଚ୍ଛେଦର ମୁହୂର୍ତ୍ତକୁ ବୁଝି ପାରୁଛି ଏଡିକି ବକଟେ ଛୁଆ । ମାଆ ଯାଉଥିବାରୁ ଝିଅ ରାହା ଧରି କାନ୍ଦୁଛି ତ ମାଆ ବି ସଙ୍କଟ ସମୟରେ ନିଜ ଲୁହକୁ ଲୁଚାଇ କର୍ତ୍ତବ୍ୟ କରିବାକୁ ଧିରେଧିରେ ମମତାଠୁ ବିଦାୟ ନେଉଛି । ସ୍କୁଟି ଆଗେଇ ମାଆ ଘରୁ ବାହାରି ଯାଉଛି ସିନା ହେଲେ ମାଆର ଫେରିବା ବାଟକୁ ତା ଝିଅ ଲୁହଭିଜା ଆଖିରେ ଆଖିଏ ଅପେକ୍ଷା ନେଇ ଚାହିଁ ରହିଛି…

ଭୂତାଣୁ ଭୟରେ ଭୟଭୀତ ସାରା ବିଶ୍ୱ । ଅଦୃଶ ଶତ୍ରୁକୁ ଅକଟାଇବାକୁ ଆଗେଇ ଆସିଛନ୍ତି ଦେଶବାସୀ । ଆଉ ସମସ୍ତଙ୍କୁ ସୁରକ୍ଷା ଦେବାକୁ ରକ୍ଷା କବଜ ସାଜିଛନ୍ତି କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା । କିଏ ପରିବାର ଭୁଲିଛି ତ କିଏ ପିଲାକୁ ଛାଡି ରାତି ଦିନ ଡ୍ୟୁଟି କରୁଛି । ତ୍ୟାଗ ଓ ସମର୍ପଣ ଭାବ ନେଇ ଭାରତ ଭୂମିରେ କରୋନାକୁ ହରାଇବାକୁ ପଣ କରିଛନ୍ତି ଏ ରକ୍ଷକମାନେ ।

ତେବେ ସେମିତି ଜଣେ ମହିଳା ସିପାହୀ, ସଙ୍କଟ ସମୟର ସିଙ୍ଘବାହିନୀ ହେଉଛନ୍ତି କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଗାଁର କନଷ୍ଟେବଲ ସୁମିତ୍ରା ବେହେରା । ଯିଏ ମମତା-ମୁକାବିଲା ମଝିରେ ସ୍ନେହର ସେତୁଟେ ସାଜିଛନ୍ତି । ଦେଶର ସମ୍ବେଦନଶୀଳ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଯେତେବେଳେ ପୋଲିସ ଆଗେଇ ଆସୁଛି ସେତେବେଳେ ସୁମିତ୍ରା କେମିତି ବା ଘରେ ହାତବାନ୍ଧି ବସି ପାରିଥାନ୍ତେ । ତେଣୁ ନିଜ ଦଶମାସର ଝିଅକୁ ଘରେ ଛାଡି ସାରା ଦେଶକୁ ସୁରକ୍ଷା ଦେବାକୁ ଆଗେଇ ଯାଆନ୍ତି ସୁମିତ୍ରା । ତେବେ ଘରର ଆଉ ନିଜ ଝିଅର ସବୁ କାମ ତୁଟାଇ ତାଲାବନ୍ଦ ବେଳେ ଡ୍ୟୁଟି କରିବାକୁ ବାହାରି ଆସନ୍ତି ସୁମିତ୍ରା ।

ସେପଟେ କରୋନା କଣ ବୁଝି ନଥିବା ଝିଅ କିନ୍ତୁ ବେଶ ଭଲ ଭାବେ ବୁଝି ସାରିଛି କି ଏ ବିପଦ ସମୟରେ ତା ପୋଲିସ ମାଆ ହିଁ ମହାମାରୀର ମୁକାବିଲା କରିବ । ଆଉ ମମତାକୁ ଘରେ ଛାଡି ବାହାରକୁ ବାହାରିବ । ସେଥିପାଇଁ ବୋଧେ ମନକୁ ବୁଝାଇ ମାଆକୁ ସିପାହୀ ସଜାଉଛି, ଡ୍ୟୁଟି ବାହାରିବା ବେଳେ ଖାକି ଟୋପି ପିନ୍ଧାଇ ବିଜୟର ଟୀପା ପିନ୍ଧାଉଛି କୁନି ଝିଅ । ଆଉ ତା ହସର ହତିଆର ଦେଇ ମାଆକୁ ମୁକାବିଲା ପାଇଁ ହାତ ହଲାଇ ବିଦାୟ ଦେଉଛି…