ମାଆ କାନ୍ଦୁଛି ପୁଅ ପାଇଁ… ତାଲାବନ୍ଦ ବେଳେ ଗଡୁନି ଗାଡ଼ି: ପୁଅର ଦୁର୍ଘଟଣା ଖବର ଶୁଣି ସୁନ୍ଦରଗଡ଼ରୁ କେନ୍ଦୁଝର ପରେ କେନ୍ଦୁଝରରୁ କଟକ ଶହ ଶହ କୋଷ କୁନି ଝିଅକୁ ଧରି ଦୌଡ଼ି ଆସିଲା ମାଆ । ବଡ଼ ମେଡ଼ିକାଲରେ ପୁଅକୁ ନପାଇ ଆଖିରୁ ଝରାଉଛି ଯନ୍ତ୍ରଣାର ଝରଣା ।

କାରଣ ସେ ଜନ୍ମ କରିଛି ଆଉ ନିଜେ କମ୍ ଖାଇ ପିଲାର ପେଟ ପୂରା କରିଛି । ଯିଏ ନିସ୍ୱାର୍ଥପର ହୋଇ ନିଜ ଆବିଳତାକୁ ହୃଦୟରେ ଚାପି ରଖେ ସେ କେମିତି ହାର୍ ମାନିବ ଆଉ ତା’ମମତାକୁ କେମିତି ସେ ବୁଝାଇବ?

1,343

କନକ ବ୍ୟୁରୋ: ଆଖିରେ ଯନ୍ତ୍ରଣାର ଝରଣା, ହୃଦୟରେ କରୁଣ ମମତାର କୋହ । ଖାଲି ପୁଅକୁ ଟିକିଏ ଦେଖିବାକୁ ଏତେ ଆବେଗ ଆଉ ବ୍ୟାକୁଳାତା କେବଳ ମାଆର ହିଁ ହୋଇପାରେ । କାରଣ ସେ ଜନ୍ମ କରିଛି ଆଉ ନିଜେ କମ୍ ଖାଇ ପିଲାର ପେଟ ପୂରା କରିଛି । ଯିଏ ନିସ୍ୱାର୍ଥପର ହୋଇ ନିଜ ଆବିଳତାକୁ ହୃଦୟରେ ଚାପି ରଖେ ସେ କେମିତି ହାର୍ ମାନିବ ଆଉ ତା’ମମତାକୁ କେମିତି ସେ ବୁଝାଇବ? ଲକଡାଉନ୍ ବେଳେ ଏମିତି ଏକ ମମତାମୟୀ ମାଆର ଲୁହ ଲହୁ ଭିଜା କାହାଣୀ ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ମଧ୍ୟ ନିଜ ଛାତିର କୋହକୁ ଚାପି ରଖିପାରିବେନି ।

କୁହାଯାଏ ଯନ୍ତ୍ରଣାର ଜ୍ୱଳନ୍ତଦେବୀ ହେଉଛି ମାଆ । ମାଆର ମମତା ଆଗରେ କି ଲକଡାଉନ୍ ଲକ୍ଷ୍ମଣରେଖା କି କରୋନା କଟକଣା… ପୁଅର ଦୁର୍ଘଟଣା ଖବର ପାଇ ସୁନ୍ଦରଗଡ଼ରୁ କେନ୍ଦୁଝର ଆଉ କେନ୍ଦୁଝରରୁ କଟକ ଖଇଫୁଟା ଖରାରେ କୁନି ଝିଅକୁ ଧରି ଗାଡ଼ି ଗଡୁନି ବୋଲି ତତଲା ପିଚୁରେ ପାଦ ଚାପି ଚାପି ଗତକାଲି କଟକ ବଡ ମେଡିକାଲରେ ପହଂଚିଥିଲା ମାଆ । ହେଲେ ତା ପୁଅକୁ ନପାଇ ମମତା ବୁଝୁନି ବୋଲି ଦୟନୀୟ ଅବସ୍ଥାରେ କଟକ ବଡ ମେଡିକାଲ ବାହାରେ ପଡ଼ିପଡ଼ି ଦିନ କାଟୁଛନ୍ତି ।

ସୁନ୍ଦରଗଡ ଜିଲ୍ଲା ଟେନସା ଅଂଚଳର ଅଞ୍ଜଳି କର । ତାଙ୍କ ୧୫ ବର୍ଷର ପୁଅ ସୁନିଲ କେନ୍ଦୁଝରରେ ରହି ଏକ ସର୍କସ ଦଳରେ କାମ କରୁଥିଲେ । ଗତ ୬ ତାରିଖରେ ତାଙ୍କ ପୁଅ ଦୁର୍ଘଟଣାଗ୍ରସ୍ଥ ହୋଇ କେନ୍ଦୁଝର ମେଡିକାଲରେ ଥିବା ଅଞ୍ଜଳିଙ୍କୁ ଏକ ଫୋନ୍ ଆସିଥିଲା । ପୁଅର ଦୁର୍ଘଟଣା ଖବର ପାଇ ଏହା ଶୁଣି ଅଞ୍ଜଳି ତାଙ୍କ ୭ ବର୍ଷର ଝିଅ ସହ ପାଖାପାଖି ୪୫୦ରୁ ଅଧିକ କିଲୋମିଟର ପାଦରେ ଚାଲି ଚାଲି ଗତକାଲି କଟକ ବଡମେଡିକାଲରେ ଆସି ପହଁଚିବା ପରେ ମେଡିକାଲରେ ପୁଅକୁ ପାଇଲେନି । ଏବେ ମମତାର ବୋଝକୁ ମନରେ ଲୁଚାଇ ଆଖିର ଲୁହକୁ ପିଉଛନ୍ତି ଅଞ୍ଜଳି ।

ପରିବାର କହିଲେ ପୁଅ ସୁନିଲ ଓ ଜଣେ ସାତ ବର୍ଷର ଝିଅ । ଏହି ସର୍କସ ଦୁର୍ଘଟଣାରେ ପୂର୍ବରୁ ସ୍ୱାମୀଙ୍କୁ ହରାଇଥିବା ଅଞ୍ଜଳି ପାଇଁ ପୁଅ ହେଉଛି ଏକମାତ୍ର ସାହାରା । ହେଲେ ତାଙ୍କର ଏକ ମାତ୍ର ଭରଷା ପାଲଟିଥିବା ପୁଅକୁ ନପାଇ ଅଞ୍ଜଳି ଏବେ ନିରାଶ ହୋଇପଡିଛନ୍ତି । ସେପଯେ ଗତ ୬ ତାରିଖରେ ସୁନିଲ ନାମକ କୌଣସି ରୋଗୀ ମେଡିକାଲକୁ ଆସିନଥିବା ଜଣାପଡିଛି । ଏସସିବିରେ କାର୍ଯ୍ୟ କରୁଥିବା ସହାୟ କର୍ମୀ ମେଡିକାଲର ସବୁ ବିଭାଗ ଏବଂ ରେକର୍ଡ ଯାଚଂ କରିଥିଲେ ମଧ୍ୟ ସୁନିଲର କୈଣସି ଠିକଣା ମିଳିନଥିବା କହିଛନ୍ତି ସହାୟ କର୍ମୀ । ତେବେ ପ୍ରଶ୍ନ ଉଠୁଛି ଯେଉଁ ମାଆ ତାଲାବନ୍ଦ ବେଳେ ତତଲା ପିଚୁରେ ପୁଅକୁ ଖୋଜି ଖୋଜି ୪୫୦ କିଲୋମିଟର ଧାଇଁ ଆସିଲା ସେ ପୁଅ ସୁନିଲ ଏବେ କେଉଁଠି ଅଛି? ଆଉ କେମିତି ଅଛି ? କ’ଣ ଏ ମାଆ ତା ପୁଅକୁ ଫେରି ପାଇବନି ନା ଆଖିରୁ ଲୁହ ଶୁଖିବନି? ତାଙ୍କ ଏକମାତ୍ର ସାହାରା ପାଲଟିଥିବା ପୁଅକୁ ଫେରି ପାଇବା ପାଇଁ ସରକାରଙ୍କୁ କାନ୍ଦି କାନ୍ଦି ଅନୁରୋଧ କରୁଛନ୍ତି ଅଞ୍ଜଳି ।