କନକ ବ୍ୟୁରୋ: ‘ଆମେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲୁ... ସେପଟେ ଅନେକ ଗାଡି ଯାଉଥିଲା ହେଲେ ସାହାଯ୍ୟ କରିବାକୁ କେହି ଅଟକିଲେ ନାହିଁ...’ ଏ ହେଉଛି ମହାରାଷ୍ଟ୍ର ବସ୍ ପୋଡି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ଆହତ ଯାତ୍ରୀଙ୍କ କୋହଭରା ବୟାନ୍ ।

Advertisment

ଲୋକେ ନିଆଁରେ ପୋଡି ଛଟପଟ ହେଉଥିଲେ । ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ହେଲେ ପାଖରେ ସେମାନଙ୍କୁ ବଞ୍ଚାଇବାକୁ କିଛି ବି ସାଧନ ନଥିଲା । କାରଣ ଏକଥା କହୁଥିବା ଯାତ୍ରୀ ଜଣକ ନିଜେ ବି ମୃତ୍ୟୁକୁ ମାତଦେଇ ଅଳ୍ପକେ ବଞ୍ଚିଯାଇଥିଲେ । ସେ ନିଜେ ବି ବେସାହାରା ଥିଲେ । ହେଲେ ସେହିବାଟରେ ଯାଉଥିବା ପ୍ରତିଟି ଗାଡିକୁ ସାହାଯ୍ୟ ପାଇଁ ଅଟକାଇବାକୁ ଚେଷ୍ଟା କରୁଥିଲେ । ହେଲେ କେହି ବି ଶୁଣିଲେନି । ସମସ୍ତେ ସବୁ ଦେଖି ନଦେଖିଲା ଭଳି ପଳାଇଲେ । ଖବର ପାଇ ପାଖ ଗାଁ ଲୋକ ଆସିଥିଲେ । ସେମାନେ ଖବର ଦେବାରୁ ପୁଲିସ ଓ ଦମକଳ ବାହିନୀ ଆସି ଆମ୍ବୁଲାନ୍ସ ସହ ପହଞ୍ଚିଥିଲେ । ହେଲେ ସେତେବେଳକୁ ଅନେକ କିଛି ଘଟିସାରିଥିଲା । ୨୬ଜଣ ଯାତ୍ରୀ ଜିଅନ୍ତା ପୋଡିଯାଇ ପ୍ରାଣ ହରାଇସାରିଥିଲେ । ଆଉ କିଛି ଯାତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଗୁରୁତର ଆହତ ଓ ଅନ୍ୟ ଆହତଙ୍କୁ ତୁରନ୍ତ ମେଡିକାଲ ନିଆଯାଇ ଚିକିତ୍ସା କରାଯାଉଛି । ହେଲେ କଥା ହେଉଛି । ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀଙ୍କ ବୟାନ ଶୁଣିବା ବେଳକୁ ଛାତି ଥରିଯାଉଛି । ମନେ ହେଉଛି ସମାଜରେ ଯେମିତି ମାନବିକତା ଦିନକୁ ଦିନ ମରି ମରି ଯାଉଛି । ଯଦି କିଛି ଯାତ୍ରୀ ଅଟକି ଯାତ୍ରୀଙ୍କୁ ଉଦ୍ଧାର କରିଥାନ୍ତେ ତେବେ ହୁଏତ ଅନେକ ଜୀବନ ବଞ୍ଚିଯାଇଥାନ୍ତା । ଏକଥା କହିବା ବେଳକୁ ଯାତ୍ରୀଙ୍କ ଆଖିରୁ ଝରିଯାଉଥାଏ ଲୁହର ଧାର ।

publive-imageଶୁକ୍ରବାର ରାତି ପାଖାପାଖି ରାତି ସାଢେ ଗୋଟେ । ଏକ ଲଗଜୁରୀ ବସ୍ ନାଗପୁରରୁ ମୁମ୍ବାଇ ଯାଉଥିଲା । ସମୃଦ୍ଧି ଏକ୍ସପ୍ରେସ ୱେରେ ଠିକ୍ ପିପଲଖୁଣ୍ଟା ଗାଁ ନିକଟ ରାସ୍ତାରେ ବସର ଚକା ଫାଟିଯାଇଥିଲା । ଫଳରେ ବସଟି ଏକ ଖୁଣ୍ଟିରେ ମାଡ ହୋଇ ଲେଉଟିପଡିଥିଲା ଏବଂ ବସରେ ନିଆଁ ଲଗିଯାଇଥିଲା । ନିଆଁ ଏତେ ଭୀଷଣ ଥିଲା ଯେ ତାହା ଦୂର ଦୂରଯାଏଁ ଦୃଶ୍ୟମାନ ହେଉଥିଲା । ବସରେ ମୋଟ ୩୩ଜଣ ଯାତ୍ରୀ ଥିଲେ । ସେଥିରୁ ନିଆଁରେ ପୋଡିଯାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ୨୬ଜଣ ଯାତ୍ରୀ । ଅନ୍ୟ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

ଗୁରୁତର ଯାତ୍ରୀ ବସର କାଚ ଭାଙ୍ଗି ବାହାରକୁ ଆସିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ହେଲେ ଅନ୍ୟମାନେ ଆସନପାରିବାରୁ ଭିତରେ ପୋଡିଯାଇଥିଲେ । ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ଚିକିତ୍ସାରେ ରଖାଯାଇଥିବା ଜଣାପଡିଛି । ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଭୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ।

publive-image

ଏହି ଘଟଣାରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।