କନକ ବ୍ୟୁରୋ: ରାତି ଅଧରେ ଆଖିବୁଜିଲେ ବାପା । ବାପାଙ୍କ ଆକସ୍ମିକ ମୃତ୍ୟୁ ପରେ ପୁଅର ମଥା ଉପରୁ ହଟିଗଲା ଗୋଟେ ଭରସାର ଛାତ । ରାତି ପାହି ସକାଳ ହୋଇଥିଲେ ଶ୍ମଶାନ ଯାଇଥାନ୍ତା ଶବ । ରାମ ନାମ ସତ୍ୟ କହି ମଶାଣୀ ମୁହାଁ ହୋଇଥାନ୍ତେ ପରିବାର ବର୍ଗ । ବାପାଙ୍କ ମୁହଁରେ ମୁଖାଗ୍ନୀ ଦେଇଥାନ୍ତେ ବଡ ପୁଅ । ହେଲେ କପାଳରେ ଅନ୍ୟ କିଛି ଲେଖିଥିଲା ଭାଗ୍ୟ । ଯେଉଁ ପୁଅ ମୃତ ବାପାର ମୁହଁରେ ମୁଖାଗ୍ନୀ ଦେଇଥାନ୍ତା ସିଏ ବି ସେହି କାଳ ରାତିରେ ସବୁଦିନ ପାଇଁ ଶେଷ ନିଦ୍ରାରେ ଶୋଇଯାଇଥିଲା । ବାପାଙ୍କୁ ହରାଇବାର ଦୁଃଖ, ହଠାତ ଗ୍ରହଣ ନକରିପାରିବା ପୁଅ ମୃତ୍ୟୁର କାରଣ ସାଜିଲା । ଆଉ ଶେଷରେ ଗୋଟିଏ ଦିନରେ, ଗୋଟିଏ ମଶାଣୀରେ ଜଳିଲା ବାପପୁଅଙ୍କ ଜୁଇ ।
କଣ୍ଟାବାଞ୍ଜି ସହରର ଆଶ୍ରମପଡାରେ ଗନ୍ଧର୍ବ ଥପାଙ୍କ ଘର, ବୟସ ୫୭ ବର୍ଷ । ମଙ୍ଗଳବାର ହଠାତ ଗନ୍ଧର୍ବଙ୍କ ମୃତ୍ୟୁ ହୋଇଗଲା । ଆଉ ବାପାଙ୍କ ମୃତ୍ୟୁରେ ଭାଙ୍ଗିପଡି ପୁଅଙ୍କର ବି ମୃତ୍ୟୁ ହୋଇଛି । ସକାଳେ ବାପାଙ୍କୁ ମଶାଣୀ ନେଇ ଯାଇଥାନ୍ତେ ପୁଅ ଧନେଶ୍ୱର । ହେଲେ ରାତିରେ ବି ସେ ଶବ ପାଲଟିଗଲେ । ବାପାଙ୍କ ଶେଷ ସଂସ୍କାର ପାଇଁ ତାଙ୍କୁ ଯିଏ ଯେତେ ଡାକିଲେ ବି ଶୁଣି ନଥିଲେ କି ଉଠି ନଥିଲେ ଧନେଶ୍ୱର । ବାପାପୁଅ ଡକାଡକି ହୋଇ ଚାଲିଯିବା ଘଟଣା ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଥିବା ବେଳେ ଗୋଟିଏ ମଶାଣୀରେ ସେମାନଙ୍କ ଜୁଇ ଦେଖି କାନ୍ଦିଛନ୍ତି ପରିବାର ଲୋକେ ।
ଏପଟେ ଧନେଶ୍ୱରଙ୍କ ମୃତ୍ୟୁ ପରେ ବାପ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କ କୁନି କୁନି ଝିଅ । ୩ ବର୍ଷର ଆଞ୍ଚଲ, ୫ ବର୍ଷର ବୈଷବୀ ବାପାଙ୍କୁ ହରାଇ ଅବାକ ହୋଇଛନ୍ତି । ୮ ମାସ ତଳେ କ୍ୟାନସର ସେମାନଙ୍କ ମାଆକୁ ସେମାନଙ୍କ ଠାରୁ ସବୁଦିନ ପାଇଁ ଛଡେଇ ନେଇଥିଲା । ଆଉ ୮ ମାସ ପରେ ଏ ନିଷ୍ଠୁର ବିଧାତା ସେମାନଙ୍କ ସାହସ, ସେମାନଙ୍କ ଶକ୍ତି, ସେମାନଙ୍କ ପ୍ରିୟ ବାପାକୁ ବି ନେଇଗଲା । ଏବେ ସେମାନେ କାହାକୁ ମାଗିବେ ଚକଲେଟ, କାହାକୁ କହିବେ ବାପା କୁରକୁରେ ଦିଅ, ମତେ ସାଇକେଲରେ ବୁଲାଇ ନିଅ... ନିରବତାର ଏ ଆଖି ଅନେକ କଥା କହୁଛି...
ବାପା ଗନ୍ଧର୍ବ ରେଳବାଇରେ ଚାକିରି କରୁଥିଲେ । ହେଲେ ଅସୁସ୍ଥତା ପାଇଁ ସ୍ୱେଚ୍ଛାକୃତ ଅବସର ନେଇ ନିଜ ପୁଅକୁ ଉକ୍ତ କାମ କି ପରିବାର ଚଳାଇବାକୁ କହିଥିଲେ । ପୁଅ ଧନେଶ୍ୱର ରେଳବାଇ କାମ ସହ ଏକ ଇଡଲି ଦୋକାନ କରି ଘର ଚଳାଉଥିଲେ । ନିଜ ବଡ ଝିଅକୁ ଭଲ ସ୍କୁଲରେ ପଢାଇ ବଡ ମଣିଷ କରାଇବାକୁ ଇଂରାଜୀ ମିଡିୟମରେ ବି ନାମ ଲେଖାଇଥିଲେ । ଝିଅକୁ ନେଇ ଏତେ ସ୍ୱପ୍ନ ଦେଖିଥିବା ବାପାଙ୍କର ଯେ ହଠାତ ମୃତ୍ୟୁ ହୋଇଯିବ ତାହା କେବେ କେହି କଳ୍ପନା କରିନଥିଲେ । ବାପାମାଆଙ୍କୁ ହରାଇ ଅନାଥ ହୋଇ ପଡିଥିବା ୨ ଝିଅଙ୍କର କଣ ହେବ ଭବିଷ୍ୟତ ? କିଏ ହେବ ସାହା? ଏବେ ଚିନ୍ତାରେ ପରିବାର...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/39-14.jpg)