କନକ ବ୍ୟୁରୋ : ଯୁଦ୍ଧର ଘନଘଟା ଭିତରେ ଚିନ୍ତାରେ ଅଛନ୍ତି ଓଡିଆ ଅଭିଭାବକ । କାରଣ ପୁଅ, ଝିଅ ୟୁକ୍ରେନ ଯାଇଛନ୍ତି ମେଡିକାଲ ପଢିବା ପାଇଁ । କେହି ବିଶ୍ୱାସ କରୁନଥିଲେ ଏତେ ଶୀଘ୍ର ରୁଷ ଆକ୍ରମଣ କରିଦେବ ।

Advertisment

ୟୁକ୍ରେନରେ ଫସିଛନ୍ତି ଓଡିଆ ଛାତ୍ରଛାତ୍ରୀ । ପିଲାଙ୍କ ସୁରକ୍ଷାକୁ ନେଇ ପରିବାର ବ୍ୟାକୁଳ । ଉଦ୍ଧାର ପାଇଁ ଭାରତ ସରକାରଙ୍କୁ କଲେ ନିବେଦନ । ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ନିଜ ଝିଅ ଫସିଥିବାରୁ ବାପାଙ୍କ ମୁହଁରୁ ଆପେ ଆପେ ଏହି କଥା ବାହାରି ଆସିଛି । ଭୁବନେଶ୍ୱର ଭିଏସଏସନଗର ଓ ବମିଖାଲର ଦୁଇ ଜଣ ଛାତ୍ରୀ ୟୁକ୍ରେନରେ ପାଠ ପଢିବାକୁ ଯାଇଛନ୍ତି । ୟୁକ୍ରେନରେ ଯୁଦ୍ଧ ଖବର ଶୁଣି ପରିବାର ଲୋକଙ୍କ ମନରେ ଛନକା ପଶିଛି । ୟୁକ୍ରେନ ଉପରେ ରୁଷ ଆକ୍ରମଣ ଖବର ଗଣମାଧ୍ୟମରେ ଦେଖିବା ପରେ ବ୍ୟସ୍ତବିବ୍ରତ ହୋଇପଡିଛନ୍ତି ପରିବାର । କେମିତି ପିଲା ସୁରକ୍ଷିତ ଘରକୁ ଫେରିଆସିବ ସେଇଥିପାଇଁ ଭାଗବାନଙ୍କୁ ଡାକୁଛନ୍ତି ।

ରୁଷର ଆକ୍ରମଣ ପରେ ୟୁକ୍ରେନ ଆକାଶ ପଥ ସିଲ୍ ହୋଇଛି, ତେଣୁ ପିଲାଙ୍କ ଫେରିବାରେ ସମସ୍ୟା ସୃଷ୍ଟି ହୋଇଛି । ୟୁକ୍ରେନରେ ଏକମାସ ଜରୁରୀକାଳୀନ ପରିସ୍ଥିତି ବି ଘୋଷଣା ହୋଇଛି । ଗ୍ୟାସ ପାଇପଲାଇନ କଟି ଗଲାଣି । ଶୁଖିଲା ଖାଦ୍ୟ ପାଇଁ ସୁପର ମାର୍କେଟରେ ଭିଡ ଜମୁଛି । ୟୁକ୍ରେନର ଥିବା ନିଜ ପିଲାଙ୍କୁ ଭିଡିଓ କଲ କରି ହାଲଚାଲ ବୁଝି ଚିନ୍ତାରେ ପଡିଛନ୍ତି ବାପା ମାଆ ।

ୟୁକ୍ରେନର ଖାରକିଭ ନ୍ୟାସନାଲ ମେଡ଼ିକାଲ ୟୁନିଭର୍ସିଟିରେ ମେଡିକାଲ ପଢୁଥିବା ଯାଜପୁର ଜିଲ୍ଲା ବିରୁହାଁପଡ଼ା ଗାଁର ପ୍ରଳୟ କୁମାର ନାୟକ ଫଶି ରହିଛନ୍ତି । ସେପଟେ ରାଉରକେଲାର ପ୍ରାୟ ୨୦ ଛାଚ୍ରଛାତ୍ରୀ ୟୁକ୍ରେନରେ ଫସି ରହିଛନ୍ତି । ଓଡିଆ ପିଲାଙ୍କୁ ସୁରକ୍ଷିତ ୟୁକ୍ରେନରୁ ଫେରାଇ ଆଣିବାକୁ ଭାରତ ସରକାର ଓ ଓଡିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ଅଭିଭାବକମାନେ । ଅନ୍ୟପଟେ ଭାରତ ଦୂତାବାସ ଆଡଭାଇଜରି ଜାରି କରି ପ୍ରବାସୀ ଭାରତୀୟ ଓ ଛାତ୍ରଛାତ୍ରୀଙ୍କୁ ଯିଏ ଯେଉଁଠ ଅଛ, ସେଇଠି ରହିବାକୁ ପରାମର୍ଶ ଦେଇଛି । ଦୂତାବାସର ବିନା ସୂଚନାରେ ଘରୁ ନବାହାରିବାକୁ ତାଗିଦ୍ କରାଯାଇଛି ।