ପରୀକ୍ଷା ପାଇଁ ଯାଉଥିଲେ, ମୃତ୍ୟୁର କେନାଲରେ ବୁଡିଗଲେ । ନର୍ସିଂ ପରୀକ୍ଷା ପାଇଁ ଯିବା ବେଳେ ନିରବି ଗଲା ଅନେକ ଛାତ୍ରଛାତ୍ରୀଙ୍କ ନିଶ୍ୱାସ…

1,527

କନକ ବ୍ୟୁରୋ: ମୃତ୍ୟୁର ପାଟିରୁ ବର୍ତ୍ତିଲାନି ଅଧାରୁ ଅଧିକ ଜୀବନ । କେନାଲର କଡେ କଡେ ଯମ ବସାଇଥିବା କାଳ ଫାଶରୁ ଫିଟି ପାରିଲାନି ଅନେକଙ୍କ ଜୀବନ । ପାଣି ଭିତରେ ପ୍ରାଣ ଚାଲିଗଲା, ଚାଲୁଥିବା ନିଶ୍ୱାସ ନିରବି ଗଲା । ଆଉ କେନାଲ ଭିତରେ ହିଁ ଜଳସମାଧି ନେଲେ ୪୫ରୁ ଅଧିକ ଯାତ୍ରୀ । ମଧ୍ୟପ୍ରଦେଶରେ ମୃତ୍ୟୁର ମହାତାଣ୍ଡବ ସାରା ଦେଶର ଛାତିକୁ ପୁଣି ଥରେ ଥରାଇ ଦେଇଥିବା ବେଳେ ବସ ଟ୍ରାଜେଡି ପରେ ବାହୁନି ବାହୁନି କାନ୍ଦୁଛନ୍ତି ମୃତକଙ୍କ ପରିବାର ଓ ପ୍ରିୟଜନ ।

ବସ ଦୁର୍ଘଟଣା ପରେ କିଏ ଭାଇକୁ ହରାଇଛି ତ କିଏ ପୁଅଝିଅକୁ, ପୁଣି କିଏ ନିଜ ସାଙ୍ଗକୁ ହରାଇ ହତବାକ ହୋଇଛି । ବସରେ ଥିବା ଯାତ୍ରୀଙ୍କ ଭିତରେ ଅନେକାଂଶ ଥିଲେ ଛାତ୍ରଛାତ୍ରୀ । ନର୍ସିଂ ପରୀକ୍ଷା ପାଇଁ ଅନେକ ପିଲା ସିଧିରୁ ସତନା ଯାଉଥିଲେ । ହେଲେ କିଏ ଜାଣିଥିଲା ପରୀକ୍ଷା ପୂର୍ବରୁ ଚାଲିଯିବ ପ୍ରାଣ ଆଉ ଅଧାରେ ରହିଯିବ ଚାକିରି କରି ବଡ ହେବାର ସ୍ୱପ୍ନ । ପାଖ ସିଟରେ ଯେଉଁ ସାଙ୍ଗ ବସିଥିଲା ପାଣିରୁ ଉଦ୍ଧାର ହେବା ପରେ ଆଉ ସେ ନାହିଁ । ଏଇ କଥା ଭାବି ଭୋ ଭୋ ହୋଇ କାନ୍ଦୁଛନ୍ତି ଯୁବକ ।

ତେବେ ସକାଳେ ବସଟି ଯାତ୍ରୀଙ୍କୁ ନେଇ ସିଦ୍ଧିରୁ ସତନାକୁ ଯାଉଥିଲା । ସବୁକିଛି ଠିକଠାକ ଥିଲା । କିଏ ଓହ୍ଲାଇବାକୁ ମନରେ ଆଶା ବାନ୍ଧି ବସିଥିଲା ତ କିଏ ଆଗା ଷ୍ଟପେଜରେ ଓହ୍ଲାଇ ପ୍ରିୟଜନଙ୍କୁ ଭେଟିବାକୁ ବ୍ୟାକୁଳ ହେଉଥିଲେ । ହେଲେ ଅଧାବାଟରେ ସବୁକିଛି ଓଲଟ ପାଲଟ ହୋଇଗଲା । ସାମ୍ନାରୁ ଆସୁଥିବା ଏକ ବୋଲେରୋକୁ ସାଇଡ ଦେବାବେଳେ ଭାରସାମ୍ୟ ହରାଇ ବସ ସିଧା କେନାଲକୁ ଖସିପଡିଥିଲା । ମୃତ୍ୟୁର ଆଁରେ ପଶି ସମସ୍ତେ ଜୀବନ ବିକଳରେ ଛଟପଟ ହେଉଥିଲେ ହେଁ ଘଟଣାସ୍ଥଳରେ ହିଁ ଅନେକ ପ୍ରାଣ ହରାଇଥିଲେ । ଆଖି ଖୋଲିବାର ବି ସୁଯୋଗ ଦେଇନଥିଲା ଯମ । କେନାଲ କଡରେ ଶୋଷି ନେଇଥିଲା ନିଶ୍ୱାସ ।

ବସରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ମୋଟ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ଭୟଙ୍କର ଦୁର୍ଘଟଣା ପରେ ଏନଡିଆରଏଫ, ଏସଡିଆରଏଫ ଉଦ୍ଧାର କାମ ଜୋରଦାର କିରିଥିବା ବେଳେ ୪୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତ ଘୋଷଣା କରିଛନ୍ତି ଶିବରାଜ ସିଂଚୌହାନ ।

ତେବେ ଗତ କିଛି ଦିନ ତଳେ ଉତ୍ତରାଖଣ୍ଡର ଜଳପ୍ରଳୟ ଦେଶର ଛାତିକୁ ଦୋହଲାଇ ଦେଇଥିବା ବେଳେ ପଏବେ ମଧ୍ୟପ୍ରଦେଶର ମର୍ମନ୍ତୁ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ସେଠି ପାଣି ପ୍ରଳୟ ଆଣିଥିବା ବେଳେ ଏଠି ପାଣି ପାଟିରେ ପଶି ଲିଭିଯାଇଛି ୪୫ରୁ ଅଧିକ ଲୋକଙ୍କ ଜୀବନ ଦୀପ । ତେବେ ଏହି ଭୟାନକ ଦୁର୍ଘଟଣା କେମିତି ହେଲା ? ଡ୍ରାଇଭରଙ୍କ ଦୋଷ ନା ଆଉ କାହାର ? ଅନେକଙ୍କ ଜୀବନର ଦାୟିତ୍ୱ ନେଇ ଯାତ୍ରା କରୁଥିବା ଡ୍ରାଇଭର ଶୋଇପଡିଥିଲେ କି ? ଦୁର୍ଘଟଣାର କାରଣ ଖୋଜା ଚାଲିଥିବା ବେଳେ ବସ ଟ୍ରାଜେଡିର ଏ କ୍ଷତ କେବେ ବି ଭରଣା ହେବନି ମୃତକଙ୍କ ପରିବାରର ଛାତିରୁ…