ବୋଝ ଉପରେ ନଳିତା ବିଡା । ଦିବ୍ୟାଙ୍ଗ ହୋଇ ବି ଭଲ ପାଠ ପଢୁଥିଲେ । ଦେହରେ ଅଜଣା ରୋଗ ସବାର ହେବା ପରେ ଏବେ ଧୂସର ଦିଶୁଛି ପାଠ ପଢିବାର ସ୍ୱପ୍ନ ।

526

କନକ ବ୍ୟୁରୋ: ଦିନ ଗଢୁଛି ଯନ୍ତ୍ରଣା ବଢୁଛି । ଧିରେ ଧିରେ ଆଖିରେ ଥିବା ସବୁ ସ୍ୱପ୍ନ ଧୂସର ଦିଶୁଛି । ଖେଳକୁଦ ଓ ପାଠ ପଢା ବୟସରେ ଅଜଣା ରୋଗରେ ଜୀବନ ସହ ଜୁଝି ହେଉଛନ୍ତି ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ଦୋରାଗୁଡା ଗାଁର ମେଧାବୀ ଛାତ୍ର ପ୍ରଶାନ୍ତ ଦୋରା । ଜୀବନ ଜୀଇଁବା ଠାରୁ ବଳିଯାଇଛି ରୋଗର ଯନ୍ତ୍ରଣା । ଦୋରାଗୁଡା ଗାଁର କେଶବ ଦୋରାଙ୍କ ପୁଅ ପ୍ରଶାନ୍ତ, ନାୟକଗୁଡା ସ୍ଥିତ ଦିବ୍ୟାଙ୍ଗ ବିଦ୍ୟାଳୟରେ ନବମ ଶ୍ରେଣୀ ପାଠ ପଢୁଥିଲେ । କରୋନା ଯୋଗୁଁ ସ୍କୁଲ ବନ୍ଦ ହେବା ପରେ ଘରକୁ ଆସିଥିଲେ । ଘରେ ଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଲେ । ରୋଗ କଣ ଜଣା ପଡୁନଥିବା ବେଳେ ବିଛଣାରେ ପଡିଛନ୍ତି ପ୍ରସାନ୍ତ ।

ପିଲାଟି ଦିନରୁ ପ୍ରଶାନ୍ତଙ୍କ ଗୋଟିଏ ଆଖିକୁ ଦେଖାଯାଏନି । ତଥାପି ସେ କେବେ ମନଉଣା କରି ନାହାନ୍ତି । ବରଂ ଭଲ ପାଠ ପଢି ପରିବାରର ଗରିବୀ ପଣକୁ ଦୂର କରିବାକୁ ସ୍ୱପ୍ନ ଦେଖିଛନ୍ତି । ହେଲେ ତାଙ୍କ ଶରୀରକୁ ଗ୍ରାସ କରିଥିବା ଅଜଣା ରୋଗ ମେଧାବୀ ଛାତ୍ରଙ୍କ ଆଶାର ଆକାଶରେ କଳାହାଣ୍ଡିଆ ମେଘ ଆଣିଛି । ସେପଟେ ଅଭାବୀ ପରିବାରର ମେଧାବୀ ଛାତ୍ରଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଲୋଡିଛନ୍ତି ଅସହାୟ ବାପା-ମାଆ । ସଂପୃକ୍ତ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ।

ଦିନକୁ ଦିନ ଶରୀର ଦୁର୍ବଳ ହେଉଛି । ହେଲେ ମନବଳ କିନ୍ତୁ କମି ନାହିଁ । ରୋଗ ଯନ୍ତ୍ରାଣାରେ ଛଟପଟ ହେଉଥିଲେ ବି ପାଠ ପଢା ଛାଡି ନାହାନ୍ତି ଆଦିବାସୀ ଦିବ୍ୟାଙ୍ଗ ମେଧାବୀ ଛାତ୍ର ପ୍ରଶାନ୍ତ ଦୋରା ।