ମାଆ ! ମୁଁ ଆଉ ଚାଲି ପାରୁନି... କୁନି ପାଦ ଥକିଯିବା ପରେ ସୁଟକେଶ ଉପରେ ପୁଅ ଶୋଇଛି, ମମତା ଦଉଡିରେ ମାଆ ଟାଣୁଛି...

ମାଆ ! ମୁଁ ଆଉ ଚାଲି ପାରୁନି... କୁନି ପାଦ ଥକିଯିବା ପରେ ସୁଟକେଶ ଉପରେ ପୁଅ ଶୋଇଛି, ମମତା ଦଉଡିରେ ମାଆ ଟାଣୁଛି...

କନକ ବ୍ୟୁରୋ: ଅସରନ୍ତି ରାସ୍ତାରେ ଅସହାୟ ଯାତ୍ରା । ମୁଣ୍ଡ ଉପରେ ଠୋ ଠୋ ଖରା, ଆଖି ଆଗରେ ଅନେକ ବାଟ । ମାଆର ପାଦ ସହ ପାଦ ମିଶାଇ ବାଟ ଚାଲୁଥିବା କୁନି ପୁଅର କଅଁଳା ପାଦରୁ ସରି ସରି ଆସୁଥାଏ ବଳ... ପୁଅର ଥକିଯାଇଥିବା ପାଦକୁ ଦେଖି ମାଆ ବି ବୁଝି ସାରିଥିଲା ଆଉ ପାଦେ ଆଗେଇବନି ତା ସୁକୁମାରୀ ପୁଅ... ବାସ୍ ତାପରେ ଝାଞ୍ଜି ଖରାର ତତଲା ରାସ୍ତାରେ ପୁଅ ପାଇଁ ଆରମ୍ଭ ହୋଇଥିଲା ମାଆର ଝୁଲଣା ଯାତ୍ରା...

ସୁଟକେଶ ଉପରେ ଛୁଆ ଶୋଇଛି, ମମତା ଦଉଡିରେ ମାଆ ଟାଣୁଛି । ଆଶଙ୍କାର ଜନପଥରେ ଜିନିଷ ବୁହା ଚକା ଉପରେ ଗଡି ଗଡି ଯାଉଛି ଜୀବନ । ଚକା ସିନା ଛୋଟ ହେଲେ ଏ ଯାତ୍ରା କିନ୍ତୁ ଭାରି ଲମ୍ବା । ସେଇଥିପାଇଁ ତ ଭୂତାଣୁର ଭୟକୁ ଦୂରେଇ ଭୋକର ଜ୍ୱାଳାରେ ଜଳି ଜଳି ଜୀବନ ନେଇ ଆଗକୁ ମାଡୁଛି ମାଆର ପୋଡିଯାଉଥିବା ପାଦ ।

ସେପଟେ କୁନି ପୁଅ ଜାଣିନି କରୋନା କଣ ? ବୁଝିନି ବି ଜୀବନ-ମୃତ୍ୟୁର ସଂଜ୍ଞା । ସେ ଖାଲି ତା ମାକୁ ବୁଝିଛି, ମା କାଖର କଷ୍ଟକୁ ମାପିଛି... ଆଉ ପାଖରୁ ଦେଖୁଛି ଢୋକେ ପାଣି ପିଇ ଆଗକୁ ବଢୁଥିବା ମାଆର ବଳ ଧିରେଧିରେ ସରିବାକୁ ଲାଗିଲାଣି । ହୁଏତ ସେ କାଖ ହେଲେ ମାଆ ଆଉ ଆଗକୁ ଯାଇପାରିବନି, ଏ ଲମ୍ବାର ଯାତ୍ରାର ବିଜେତା ହୋଇପାରିବନି । ଆଉ ସେମାନେ ଘରେ ପହଞ୍ଚିବା ଆଗରୁ ଅଧା ବାଟରେ ରହିଯିବେ । ବୋଧେ ସେଇଥି ପାଇଁ କାଖରୁ ଓହ୍ଲାଇ ସୁନା ପିଲା ଭଳି ସୁଟକେଶରେ ପେଟେଇ ପଡିଛି...

ପଞ୍ଜାବରୁ ଉତ୍ତର ପ୍ରଦେଶ, ଦୀର୍ଘ ୮୦୦ କିଲୋମିଟର ଚାଲିଚାଲି ଯାତ୍ରା କରିବାକୁ ପଣ କରିଥିବା ଶ୍ରମିକ ମାଆର ପାଦ ପାଖରେ ପହଞ୍ଚିପାରୁନି ସରକାରୀ ଗାଡି । ତାଲାବନ୍ଦ ବେଳେ ଏ ହୃଦୟ ତରଳା ଦୃଶ୍ୟକୁ ଯିଏ ଦେଖୁଛି ସିଏ ଆହା ପଦେ କହୁଛି ହେଲେ ଆଗେଇ ଆସୁନି... ଆଉ ୟାରି ଭିତରେ ଛୁଆକୁ ଧରି ଛକ ପରେ ଛକ ମାଆ ଆଗଉଛି । କାରଣ ଆଶା ଅଛି ପୁଅ ଶୋଇଥିବା ସୁଟକେଶର ଛୋଟ ଚକ ପାଖରେ ପହଞ୍ଚିବ ସରକାରଙ୍କ ବଡ ଚକ । ହେଲେ କେବେ ? ମନକୁ ପଚାରି ପଚାରି ପ୍ରଶ୍ନର ପଥରେ ଆଗେଇ ଚାଲୁଛି ଅସହାୟ ମାଆ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe