ଧିକ୍ ମୋ ପୁଅପଣିଆକୁ… ମାଆକୁ ମାରିଦେଲା ମହାମାରୀ କରୋନା । ନେହୁରା ହେଲି, ହାତ ବି ଯୋଡିଲି… ତଥାପି ଶବ ଉଠାଇବାକୁ ଚାହିଁଲେନି ଦ୍ୱିତୀୟ ଭଗବାନ । ମାଆର ଶବକୁ ବ୍ୟାଗରେ ବୋହି ମେଡିକାଲରୁ ଫେରିଲା ଅସହାୟ ପୁଅ…

2,207

କନକ ବ୍ୟୁରୋ: ବ୍ୟାଗରେ ବୋହିଲି ବୋଉର ଶବ । ମଶାଣୀକୁ ଗଲା ମଣିଷର ବିଶ୍ୱାସ । ମାୟାନଗରୀରେ ମରିଗଲା ମଣିଷପଣିଆ । ଅସହାୟକୁ ସାହା ହେଲେନି ୨ୟ ଭଗବାନ । କରୋନା ବେଳେ ମଣିଷ କେତେ ନିଷ୍ଠୁର ହୋଇପାରେ ତାର ଗୋଟି ଗୋଟି ଚିତ୍ର ସବୁଦିନ ସାମ୍ନାକୁ ଆସୁଛି । ହେଲେ ମୁମ୍ବାଇରୁ ଆସିଥିବା ଏ ଖବର ସବୁ ନିଷ୍ଠୁରତାର ସୀମା ପାର୍ କରିଛି । କାରଣ ଏଠି ସାଧାରଣ ମଣିଷଟିଏ ନୁହେଁ ବରଂ ୨ୟ ଭଗବାନର ଆଖ୍ୟା ପାଇଥିବା ଡାକ୍ତର ରୋଗୀକୁ ଆଡ ଆଖିରେ ଦେଖୁନି । ମଣିଷ ମଲା ପରେ ତା ପାଖ ମାଡୁନି କି ଶବର ସମ୍ପର୍କୀୟଙ୍କୁ ସାହାଯ୍ୟ କରୁନି ।

ମୁମ୍ବାଇ ବିଏମସି ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀଙ୍କ ଅମାନବିକତା ପାଇଁ କେମିତି ଜଣେ ପୁଅ ତା ମାଆର ଶବକୁ ବ୍ୟାଗରେ ଭରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲା ତାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ପରଘରେ ରୋଷେୟା ଭାବେ କାମ କରୁଥିବା ୫୦ ବର୍ଷୀୟ ମହିଳା ପଲ୍ଲବୀ ଉତେକରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ବିଏମସିର ଶତାବ୍ଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଜୁଲାଇ ୨ ତାରିଖରେ ତାଙ୍କର କରୋନାରେ ମୃତ୍ୟୁ ହୋଇଥିଲା ଏବଂ ସଙ୍ଗେସଙ୍ଗେ ମୃତ ମହିଳାଙ୍କ ପୁଅ କୁନାଲକୁ ଖବର ଦିଆଯାଇଥିଲା ।
ମେଡିକାଲରେ ପହଞ୍ଚିବା ପରେ ମାଆର ମୃତ୍ୟୁ ଖବର ପାଇ ପୁଅର ପାଦ ତଳୁ ମାଟି ଖସି ଯାଇଥିଲା । ତେବେ ମୃତ୍ୟୁ ଖବରଠୁ ବଳିଯାଇଥିଲା ମେଡିକାଲ କର୍ମଚାରୀଙ୍କ ଅମାନୁଷିକ ବ୍ୟବହାର । ମାଆର ମୃତଦେହକୁ ତଳ ମହଲାକୁ ନେବାକୁ ରାଜି ହୋଇନଥିଲେ କର୍ମଚାରୀ । ବେଡରୁ ଷ୍ଟ୍ରେଚର ଯାଏଁ ବି ଶବ ନେବାକୁ କେହି ରାଜି ନଥିଲେ । କରୋନାରେ ମୃତ୍ୟୁ ହୋଇଥିବାରୁ କେହି ଛୁଇଁ ନଥିଲେ ।

ଏମିତି କି ବିନା ପିପିଇରେ ଶବକୁ କେମିତି ଛୁଇଁବେ ବୋଲି କୁନାଲ ମେଡିକାଲ କର୍ମଚାରୀଙ୍କୁ କହିଥିଲେ ବି କେହି ପିପିଇ ଦେଇ ନଥିଲେ । ତେଣୁ ନିଜଠୁ ଅଧିକ ମାଆକୁ ଭଲପାଉଥିବାରୁ ବାଧ୍ୟ ହୋଇ କୁନାଲ ମାଆର ମୃତଦେହକୁ ଧରି ଏକ ବ୍ୟାଗରେ ଭର୍ତ୍ତି କରିଥିଲେ ଆଉ ଲିଫ୍ଟରେ ତଳେ ଥିବା ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ।

ତେବେ କୁନାଲଙ୍କ ବାପା କରୋନା ରେ ଆକ୍ରାନ୍ତ ହୋଇ ଅନ୍ୟ ଏକ ହସ୍ପିଟାଲରେ ଲଢେଇ କରୁଥିବା ବେଳେ ଏପଟେ ମାଆକୁ ପୁଅଠୁ ଦୂରେଇ ଦେଇଛି ମହାମାରୀ । ଶବକୁ ଅସମ୍ମାନ କରି, ଅମାନୁଷିକ ଘଟଣାରେ ସିନା ୨ ଜଣ ନିଲମ୍ବିତ ହୋଇଛନ୍ତି ହେଲେ ମାଆର ଶବକୁ ଧରିଥିବା ପୁଅ ଯଦି ସଂକ୍ରମିତ ହୁଏ ତେବେ ଦାୟୀ ହେବ କିଏ ? ହସ୍ପିଟାଲରେ ମାଆର ଶବକୁ ପୁଅ ବ୍ୟାଗରେ ବୋହିବା ଘଟଣା କି ସନ୍ଦେସ ଦେଉଛି ? ମଣିଷ ଆଉ ମଣିଷ ହୋଇ ଅଛି ତ ?