ଅଧାରେ ରହିଗଲା ବାପାଙ୍କ ସ୍ୱପ୍ନ, ପୁଅ ଡାକ୍ତର ହେବା ଆଗରୁ ଆଖିବୁଜିଲେ ବାପା । କୋକେଇରେ ଶୋଇଥିବା ବାପାଙ୍କ ଶବ ଛାତିରେ ଷ୍ଟେଥୋ ପକାଇ ଜୀବନ ଖୋଜୁଛି ପୁଅ…

322

କନକ ବ୍ୟୁରୋ: ଉଠ ବାପା ଉଠ… ତମ ପୁଅ ଡାକୁଛି ଉଠ । ଏଇ ଦେଖ ମୋ ହାତରେ ଷ୍ଟେଥୋ ଅଛି, ତମ ପୁଅ ଡାକ୍ତର ହେବାକୁ ଯାଉଛି… ତମ ସ୍ୱପ୍ନ ସତ ହେବାକୁ ଯାଉଛି… ଆଉ କେଇଟା ଦିନ ଅପେକ୍ଷା କରିଯାଇଥିଲେ କଣ ହୋଇନଥାନ୍ତା… ଏ ବାପା ଉଠ, ତମ ପୁଅ ଡାକୁଛି ପରା…

ଜୀବନ ନଥିବା ବାପାର ଦେହକୁ ଯେତେ ଡାକିଲେ ବି ଶୁଣୁ ନାହାନ୍ତି ବାପା କି ଉଠୁ ନାହାନ୍ତି । ପୁଅ ଆଖିରେ ଲୁହ ଟିକେ ଦେଖିଲେ ପୋଛି ଦେବାକୁ ଯେଉଁ ବାପାଙ୍କ ହାତ ସଙ୍ଗେସଙ୍ଗେ ଚାଲିଆସେ ଆଜି ସେହି ପୁଅ ପିଟିଛାଟି ହୋଇ ଯେତେ କାନ୍ଦିଲେ ବି ବାପା ଜମା ଶୁଣୁ ନାହାନ୍ତି । ପୁଅ ପରିବାରକୁ ପର କରି ବାପା ସବୁଦିନ ପାଇଁ ସେପାରିକୁ ଚାଲିଯାଇଛନ୍ତି । ଆଉ ବାପାଙ୍କ ଦେହାନ୍ତ ପରେ କାଳେ କେଉଁଠି ଜୀବନ ରହିଯାଇଥିବ ସେହି ଆଶାରେ ବାପା ଦେହରେ ଷ୍ଟେଥୋ ପକାଇ ଅଣ୍ଡାଳି ହେଉଛି ଡାକ୍ତରୀ ପଢୁଆ ପୁଅ ।

ରାୟଗଡା ଜିଲ୍ଲା ପଦ୍ମପୁର ପାଣି ପଞ୍ଚାୟତ କମିଟି ଅଧ୍ୟକ୍ଷ ଲାଡି ସୋମେଶ୍ୱର ରାଓଙ୍କ ଦେହାନ୍ତ ହୋଇଛି । ସାଙ୍ଗମାନଙ୍କ ସହ କେନ୍ଦୁଗୁଡା ବଡନାଳ ଡ୍ୟାମକୁ ଯାଇଥିବା ବେଳେ କଥା ହେଉ ହେଉ ଟଳିପଡିଥିଲେ ସୋମେଶ୍ୱର । ତାଙ୍କୁ ତୁରନ୍ତ ମେଡିକାଲ ଅଣାଯାଇଥିଲେ ବି ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଅଧୁରା ରହିଗଲା ପୁଅକୁ ଡାକ୍ତର ବେଶରେ ଦେଖିବାକୁ ଗୋଟେ ବାପର ଆଶା ।

ନିଜ ପୁଅକୁ ନେଇ ବେଶ ସ୍ୱପ୍ନ ଦେଖିଥିଲେ ସୋମେଶ୍ୱର । ପୁଅ ଡାକ୍ତର ହେବ ଆଉ ତାଙ୍କ ସ୍ୱପ୍ନକୁ ସାକାର କରିବ । ହେଲେ ସେ ସ୍ୱପ୍ନ ସତ ହେବା ଆଗରୁ ଆଖି ବୁଜିଛନ୍ତି ବାପା । ପୁଅ ଏସସିବିରେ ଡାକ୍ତରୀ ପାଠ ପଢୁଥିବା ବେଳେ ନିଜ ପୁଅକୁ ନେଇ ବେଶ ଖୁସି ଆଉ ଗର୍ବ କରୁଥିଲେ ସୋମେଶ୍ୱର । ହେଲେ ପୁଅକୁ ନେଇ ବାପାର ଗୋଟେ ଇଚ୍ଛା ଆଖିବୁଜିବା ପରେ ଯେକୌଣସି ପୁଅର ଅବସ୍ଥା ଏପରି ହେବ । ଯାହା ପଦ୍ମପୁରରୁ ଆସିଥିବା ଏ ହୃଦୟବିଦାରକ ଦୃଶ୍ୟ ହିଁ ବୟାନ କରୁଛି ।