କନକ ବ୍ୟୁରୋ: ମାଆ ଭିକ ଗଣ୍ଡେ ଦିଅ... ବାବୁ ସାହାଯ୍ୟ ଟିକେ କର... ତମେ ସାହାଯ୍ୟ କଲେ ମୁଁ ମାଆର ଶୁଦ୍ଧିକ୍ରିୟା କରିବି... ତମ ଦାନରେ ମୁଁ କ୍ରିୟାକର୍ମ ସାରିବି... ଦିଅ ବାବୁ ଯାହା ପାରୁଛ ଦିଅ... ଯାହା ପାରୁଛ ଦିଅ... ଅନାଥ ହେବା ପରେ ଏବେ କିଏ ହେବ ସାହା ? ବୟସ ବି ହୋଇନି ରୋଜଗାର କରିବାର । ଆଗରୁ ବାପା ଚାଲିଯାଇଥିଲେ ଏବେ ମାଆ । ଦୁହେଁ ଆରପାରିକୁ ଚାଲିଯିବା ପରେ ଏତେ ବଡ ଦୁନିଆରେ ଏକା ହୋଇଗଲା ପୁଅ । ଆଗକୁ ତ କଷ୍ଟରେ ବଞ୍ଚିବାକୁ ପଡିବ । ହେଲେ ଏବେ କେମିତି ମୃତା ମାଆର ଶୁଦ୍ଧିକ୍ରିୟା ହେବ ? ସେହି ଚିନ୍ତାରେ ହାତରେ ବ୍ୟାଗ ଖଣ୍ଡେ ଧରି, ଧୋତି ଗାମୁଛା ପିନ୍ଧି ଗାଁ ଗାଁ, ଘର ଘର ବୁଲି ଭିକ ମାଗୁଛି ଭାଗବତ । ଏ ଭିକ ମଗା ଭୋକ ପାଇଁ ନୁହେଁ କି ପେଟ ପାଇଁ ନୁହେଁ ବରଂ ମାଆର ଆତ୍ମାକୁ ଶାନ୍ତି କରିବାକୁ, କ୍ରିୟାକର୍ମ ସାରିବାକୁ ପର ଘରେ ହାତ ପାତୁଛି ପୁଅ । ସତରେ ଭାରାକ୍ରାନ୍ତ ଦୋଛକିରେ ଭାଗବତର ଏ ଦୁଃଖ ଭାରି କଷ୍ଟ... ଯାହାକୁ ପଢିବା ଅନ୍ୟପକ୍ଷ ଅସମ୍ଭବ ।

Advertisment

କେନ୍ଦ୍ରାପଡା ରାଜନଗର ବ୍ଲକ ଚମ୍ପାଦିଆ ଗାଁର ଭାଗବତ ଦାସ । ବୟସ ୧୫ ବର୍ଷ... ଦଶମ ଶ୍ରେଣୀରେ ପଢୁଛନ୍ତି । ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିିଥିବା ଭାଗବତଙ୍କର ସବୁ ଆଶା ଏବେ ଉଭେଇଯାଇଛି । ଦୁଇ ବର୍ଷ ତଳେ ବିଦ୍ୟୁତ୍ ଆଘାତରେ ବାପାଙ୍କର ମୃତ୍ୟୁ ହୋଇଗଲା । ପୁଅକୁ ବଡ ମଣିଷ କରିବାକୁ ମାଆ ପର ଘରେ ପାଇଟି କରି ପେଟ ପୋଷୁଥିଲେ । ହେଲେ ନିଷ୍ଠୁର ଭାଗ୍ୟ ଭାଗବତଙ୍କ ଠାରୁ ମାଆଙ୍କୁ ବି ଛଡେଇନେଲା । ରୋଗରେ ପଡିବା ପରେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଯନ୍ତ୍ରଣା ଲିଭାଇ ଦେଲା ମାଆଙ୍କ ଜୀବନ ଦୀପ । ଆଉ ତାପରେ କପାଳରେ ଅନାଥର ରେଖା ଟାଣି ଏକା ହୋଇଗଲେ ଭାଗବତ ।

ଭାଗ୍ୟ ସିନା ଭସେଇଦେଲା ହେଲେ ମାଆ ପାଇଁ ପୁଅର ତ କର୍ତ୍ତବ୍ୟ କରିବାକୁ ପଡିବ । ମାଆର ଶୁଦ୍ଧିକ୍ରିୟା ସାରିବାକୁ ପଡିବ । ଅର୍ଥ ନଥିବା ଅସହାୟ ପୁଅ, ସମ୍ପତ୍ତି ନଥିବା ସର୍ବହରା ଭାଗବତ ଶେଷରେ ରାସ୍ତାକୁ ଓହ୍ଲାଇଥିଲେ । ମାଆର ସବୁତକ କ୍ରିୟା କର୍ମ ସାରିବାକୁ ବ୍ୟାଗ ଧରି ଭିକ ମାଗୁଛନ୍ତି । କାରଣ ସେମାନେ ତ ସେପାରିକୁ ଚାଲିଗଲେ କିନ୍ତୁ ସମାଜରେ ତାଙ୍କୁ ହିଁ ବଞ୍ଚିବାକୁ ପଡିବ । ତେଣୁ ମୃତକର୍ମ ସାରିବାକୁ ସାହାଯ୍ୟ ମାଗୁଛନ୍ତି ଦଶମ ଶ୍ରେଣୀର ଛାତ୍ର ଭାଗବତ ।

ସରକାରଙ୍କ ହରିଶଚନ୍ଦ୍ର ଯୋଜନାରେ ସହାୟତା ପାଇଁ ସ୍ଥାନୀୟ ସରପଞ୍ଚକୁ ଗୁହାରୀ, ବିନତୀ କଲା ପରେ ବି ଏଯାଏଁ ତାଙ୍କ କଥା ଶୁଣିବାକୁ ନାରାଜ ଜନପ୍ରତିନିଧି । ତେଣୁ ମାଆର ଶୁଦ୍ଧିକ୍ରିୟା କେମିତି କରିବେ ସେ ନେଇ ଚିନ୍ତାରେ ଏ କୁନିପୁଅ । ସତରେ କଣ ଗରିବ ହେବା ପାପ ? ବାପାମାଆ ଛେଉଣ୍ଡ ହେବା ପରେ ଘରେ ସମ୍ପତି ନାହିଁ କି ଟଙ୍କା ନାହିଁ, ଏମିତି ଅବସ୍ଥାରେ କେମିତି କେମିତି ବଞ୍ଚିବ ପୁଅ? ଥରେ ପଢିବାକୁ ଚେଷ୍ଟା କରନ୍ତୁ ଭାଗବତଙ୍କ କଷ୍ଟ?