କନକ ବ୍ୟୁରୋ: ଜୀବନ ଚାଲିଗଲା ଜନ୍ମଦିନରେ । ରାସ୍ତାରେ ମାଡିଗଲା ମୃତ୍ୟୁର ଗାଡି । ମାଆ ଆଗରେ ଆଖିବୁଜିଲା ଝିଅ । ଯେଉଁ ଝିଅକୁ ଦିନେ ମାଆ ଅନ୍ତଫାଡି ଜନ୍ମ ଦେଇଥିଲା ଆଜି ସେହି ଦିନରେ ତା ଜୀବନ ଚାଲିଗଲା । ମାଆ ଗର୍ଭର ଅନ୍ଧାରରୁ ଦୁନିଆର ଆଲୋକ ଦେଖିଥିବା ଦିନରେ ହିଁ ସବୁଦିନ ପାଇଁ ଝିଅ ଆଖି ବୁଜିଲା । ଆଉ ମାଆର ପଣତ ତଳେ ବଢିଥିବା ଝିଅ ଆଜି ବି ସେଇ ପଣତ ପାଖରେ ପ୍ରାଣ ହରାଇଲା, ପଣତକୁ ପର କରି ସବୁଦିନ ଚାଲିଗଲା । ନିଜ ଏକୋଇରବୋଳା ବିଶିକେଶନକୁ ହରାଇ ମାଆ ବି ବାକଶୂନ୍ୟ ହୋଇଛି ଆଉ ରାସ୍ତା ମଝିରେ ପଥର ପାଲଟିଯାଇଛି ।
ଜନ୍ମଦିନ ପାଇଁ ଝିଅକୁ ନେଇ ମନ୍ଦିର ଯାଇଥିଲେ ମାଆ । ଆଉ ଠାକୁର ଦର୍ଶନ କରି ଫେରିବା ବେଳେ ମଝି ରାସ୍ତାରେ ମାଡିଯାଇଥିଲା ମୃତ୍ୟୁ । ମାଆ ସହ ସ୍କୁଟିରେ ବସିଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଥିଲେ ମାଆ ହେଲେ ସବୁଦିନ ପାଇଁ ମୃତ୍ୟୁର ଫାସରେ ଫସିଯାଇଥିଲା ୯ ବର୍ଷର କୁନି ଝିଅ । ମୁଣ୍ଡ ଓ ଛାତି ଉପରେ ଟ୍ରକ ଚଢିଯିବା ପରେ ଘଟଣାସ୍ଥଳରେ ଝିଅ ବୈଷ୍ଣବୀର ମୃତ୍ୟୁ ହୋଇଥିଲା ।
ତେବେ ନୂଆପଡା ଖଡିଆଳ ବୋଡେନ ଛକରୁ ଆସିଥିବା ଦୁର୍ଘଟଣାର ଏ ଛାତିଫଟା ସିସିଟିଭି ଫୁଟେଜ ଯିଏ ଦେଖୁଛି ତା ଲୋମ ଟାଙ୍କୁରି ଉଠୁଛି ଆଉ କହୁଛି ହେ ଭଗବାନ କେତେ ନିଷ୍ଠୁର ଏ ସମୟ । ତେବେ ମୃତ କୁନି ଝିଅ ବୈଷ୍ଣବୀ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ସେ ଭଲ ନୃତ୍ୟୁ ମଧ୍ୟ କରନ୍ତି । ମାଆ ରିତା ଖମ୍ପରିଆ ଲିଟିଲଷ୍ଟାର ସ୍କୁଲରେ ଶିକ୍ଷୟିତ୍ରୀ ଥିବାବେଳେ ବୈଷ୍ଣବୀ ମଧ୍ୟ ସେଠି ପଢୁଥିଲେ । ଆଉ ରବିବାର ଜନ୍ମଦିନ ଥିବାରୁ ଭାରି ଖୁସିଥିଲା ଏ କୁନିଝିଅ । ନୂଆ ଜାମା ପିନ୍ଧି କେକ୍ କାଟିବ, କେତେ ମଜାମସ୍ତି କରିବ । ହେଲେ ତା ଅସୁମାରୀ ଆଶାକୁ ସମାଧି ଦେଇଦେଲା ଏ ସମୟ ।