କନକ ବ୍ୟୁରୋ: ସ୍ନେହ ଟାଣିନେଲା ଶ୍ମଶାନକୁ । ମଶାଣି ମଝିରେ ଜଳିଲା ମାଆଛୁଆର ସମ୍ପର୍କ । ଜଣେ ସିନା ରୋଗରେ ପଡି ଆଖି ବୁଜିଦେଲା ହେଲେ ଅନ୍ୟ ୩ ଜଣଙ୍କୁ ରକ୍ତ ଟାଣିନେଲା । ସାନ ପୁଅ ଆରପାରିକୁ ଚାଲିଯିବା ପରେ ଭାବପ୍ରବଣ ହୋଇ ପରିବାରର ୩ ଜଣ ଆତ୍ମହତ୍ୟା କରିଛନ୍ତି । ଆଉ ଶ୍ମଶାନରେ ଏକାଠି ଜଳିଛି ଚାରି ଚାରିଟି ଜୁଇ । ସଂକ୍ରମଣ ଭିତରେ ଝାରସୁଗୁଡାରୁ ଆସିଛି ସମ୍ପର୍କକୁ ନେଇ ଗଣଆତ୍ମହତ୍ୟାରେ କରୁଣ କାହାଣୀ । ଯାହାକୁ ଶୁଣିଲେ ଆପଣ ଅବାକ ହୋଇଯିବେ । ଆଉ କହିବେ ହେ ! ଭଗବାନ, ଏ କେମିତିକା ଦୁର୍ଭାଗ୍ୟ...

Advertisment

publive-image

୨୦୧୮ରେ ଝାରସୁଗୁଡା ବେହେରାମାଲ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ଦୀପକ ବିଶ୍ୱାଳ । ବିଟେକ ପଢିବା ସମୟରେ ଏକ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କୋମାକୁ ଚାଲିଯାଇଥିଲେ । ଆଉ ଘରେ ରହି ଚିକିତ୍ସା ହେଉଥିବା ବେଳେ ଗତ ଜୁନ ୧ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୀପକ ସାନ ପୁଅ ହୋଇଥିବାରୁ ଘରର ଏକମାତ୍ର ଗେହ୍ଲାପୁଅ ଥିଲେ । ତେଣୁ ତାଙ୍କ ମୃତ୍ୟୁ ପରେ ଦୁଃଖରେ ମିୟମାଣ ହୋଇଥିଲା ପୂରା ପରିବାର । ଆଉ ଶେଷରେ ସମସ୍ତେ ନେଇଥିଲେ ଆତ୍ମହତ୍ୟାର ଚରମ ନିଷ୍ପତ୍ତି ।

ଦୀପକ ଦୂରେଇ ଯିବା ପରେ ସବୁସରିଗଲା ଭାବି ମାଆ, ବଡ ଭାଇ ଏବଂ ୩ ଭଉଣୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯେହେତୁ ଦୀପକଙ୍କୁ ସମସ୍ତେ ଭଲପାଉଥିଲେ ତେଣୁ ସେ ଯିବା ପରେ ତାଙ୍କ ପାଖକୁ ସମସ୍ତେ ଚାଲିଯିବାକୁ ନିଷ୍ଠୁର ନିଷ୍ପତ୍ତି ନେଇଥିଲେ ପରିବାର ଲୋକେ । ଆଉ ବିଷ ପିଇ ଗୁରୁତର ହେବା ପରେ ପ୍ରଥମେ ବଡ ଭାଇ ଶ୍ରୀକାନ୍ତ ଏବଂ ପରେ ମାଆ ଓ ଜଣେ ଭଉଣୀ ମେଡିକାଲରେ ଆଖି ବୁଜିଥିଲେ । ତେବେ ଭାଇ ପାଖକୁ ଯିବାକୁ ମୃତ୍ୟୁକୁ ଅମୃତ ଭାବି ପିଇ ଯାଇଥିବା ଦୁଇ ଭଉଣୀ ଅଧାବାଟରେ ଅଟକିଗଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନେ ବୁର୍ଲା ଆଇସିୟୁରେ ଅଛନ୍ତି ।

ସେପଟେ କରୋନା କଟକଣା ପାଇଁ ସମ୍ପର୍କୀୟ ଆସିପାରି ନଥିବାରୁ ୪ ଜଣଙ୍କ ଅନ୍ତିମ ସଂସ୍କାର କରିଛି ପ୍ରଶାସନ । ଆଉ ଶ୍ମଶାନରେ ଏକାଠି ଜଳିଛି ସ୍ନେହର ସମ୍ପର୍କ, ପାଉଁଶ ହୋଇଛି ଅଧା ପରିବାର । ତେବେ ସାଥୀ ହୋଇ ମୃତ୍ୟୁର ଶିଢି ଚଢୁଥିବା ପରିବାରରୁ ଦୁଇ ଭଉଣୀ ବର୍ତ୍ତି ଯିବା ପରେ ଏବେ ହସ୍ପିଟାଲରେ ଅଛନ୍ତି ସତ । ହେଲେ ଯେବେ ସେମାନେ ଘରକୁ ଫେରିବେ, ସେ ଘର ଆଉ ଘର ପରି ଲାଗିବ ତ ? ମାଆ ବିନା, ଭାଇ ବିନା କେମିତି କାଟିବେ ଦିନ ?