କନକ ବ୍ୟୁରୋ: ମଦର୍ସ ଡେ’ରେ କାନ୍ଦୁଛି ମାଆ...ଧନରେ ଆଉ କାହାଠୁ ଶୁଣିବି ମାଆ... ମାଆ... ମଶାଣୀରେ ଛୁଆ, ଛାତି ପିଟି କାନ୍ଦୁଛି ମାଆ । ଜୁଇର ବିଛଣାରେ ତା ସୁନାଧନ ସବୁଦିନ ପାଇଁ ଶୋଇଯିବା ପରେ ନିଜକୁ ସମ୍ଭାଳି ପାରୁନି ଜନ୍ମକଲା ମାଆ । ନିଶ୍ୱାସ ବିନା ସେ କେମିତି ବଞ୍ଚିବ, ଜିବନ ବିନା ସେ କେମିତି ଜିଇଁବ... ନିଷ୍ଠୁର ବିଧାତାକୁ ମୁଣ୍ଡ ପିଟି ବାରମ୍ବାର ପଚାରୁଛି ଗୋଟେ ଅସହାୟ ମାଆ । ଆଉ ପରିବାର ଲୋକଙ୍କୁ କହୁଛି ଥରୁଟେ, ଖାଲି ଥରୁଟେ ମୋ ଛୁଆଙ୍କ ପାଖକୁ ଛାଡ, ମୁଁ ଟିକେ ଦେଖିଦେଇ ଆସେ... ସତରେ ଏ ଚିତ୍ର ହୃଦୟ ବିଦାରକ, ଅତି ଦାରୁଣ... ମାତୃ ଦିବସର ଦିନକ ପୂର୍ବରୁ ଭାଇଭଉଣୀ ଆଖି ବୁଜିବା ପରେ ମାଆ ଡାକକୁ ଝୁରି ହେଉଛି ଏ ହାରିଯାଇଥିବା ମାଆ...

Advertisment

ଯେତେବେଳେ ସାରା ଜଗତ ମାଆ ଡାଡରେ କମ୍ପି ଉଠୁଥିଲା । ମାକୁ ନେଇ ପର୍ବ ପାଳୁଥିଲା, ତା ସ୍ନେହ ମମତା, ଉତ୍ସର୍ଗକୁ ନେଇ ଉତ୍ସବ ମନାଉଥିଲା ଠିକ ସେତିକି ବେଳେ କେନ୍ଦ୍ରାପଡା ଗୋବିନ୍ଦପୁରରେ ଗୋଟେ ମାଆ ଗୁମୁରୀ ଗୁମୁରୀ କାନ୍ଦୁଥିଲା । ତା ପିଲାଙ୍କ ମୁହଁରୁ ମାଆ ଡାକ ଶୁଣିବାକୁ ପାଗେଳି ପରି ଘୁରି ବୁଲିଥିଲା । ହେଲେ ନା ତା ପିଲା ଫେରୁଥିଲେ ନା ମା ଡାକୁଥିଲେ । ଅମୃତର ଏହି ଡାକ ଏ ଅସହାୟ ମାଆ ପାଇଁ ସବୁ ଦିନ ଅଧୁରା ରହିଗଲା । କାରଣ ମାତୃ ଦିବସର ଦିନକ ପୂର୍ବରୁ ହିଁ ତା ପୁଅଝିଅଙ୍କୁ ଦଇବ ଛଡାଇନେଲା, ନିଷ୍ଠୁର ବିଧାତା ତା ଖୁସିରେ କାଳି ବୋଲିଦେଲା । ଆଉ ସାପୁ କାମୁଡାରେ ଛୋଟ ଛୋଟ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା ।

୮ ତାରିଖ ରାତିରେ ଖାଇପିଇ ମାଆ ପାଖରେ ଶୋଇଥିଲେ ୧୦ ବର୍ଷର ପୁଅ ଅଭିଷେକ ଓ ୩ ବର୍ଷର ଝିଅ ଭୂମିକା । ପିଲା ଭଲରେ ଶୋଇବେ ବୋଲି ମାଆ ମଶାରୀ ବି ଟାଣିଥିଲା । ହେଲେ କାଳ ସର୍ପ ଶେଯକୁ ଚଢିଥିଲା ଆଉ ମଶାରୀ ଭିତରେ ହିଁ ମୃତ୍ୟୁ ଦେଇଥିଲା । ସାପ କାମୁଡାରେ ସେଇଠି ହିଁ ସବୁଦିନ ପାଇଁ ଶୋଇଯାଇଥିଲେ ଦୁଇ କଅଁଳ ଶିଶୁ । ଆଉ ସବୁ ଦିନ ପାଇଁ ସାପ ଶୂନ୍ୟ କରିଦେଲା ଗୋଟେ ମାଆର କୋଳ । ଏଇ କାଲି ପରି ଲାଗୁଛି । କୁନି କୁନି ଦୁଇ ଭାଇ- ଭଉଣୀଙ୍କ ପାଟିରେ କମ୍ପୁଥିଲା ଘରଦ୍ୱାର । ଖେଳ କୁଦ, ଧାଁ ଦୌଡରେ ଫାଟି ପଟୁଥିଲା ଘର ହେଲେ ଆଜି ସବୁ ଶୂନଶାନ, ସବୁଠି ନିରବତା । ସମସ୍ତେ ଝୁରୁଛନ୍ତି ଭାଇଭଉଣୀଙ୍କ କଳି ଝଗଡାକୁ । ମାଆ ଝୁରୁଛି ପିଲାଙ୍କ ଡାକକୁ । ସେହି ମମତାଭରା ଡାକ ଟିକେ ଶୁଣିବାକୁ ଅପେକ୍ଷା କରି ରହିଛି ମାଆ ...