ଇଂରାଜୀ ନୁହେଁ, ଆଂଚଳିକ ଭାଷାରେ ହେଉ ଶୁଣାଣି: ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କୁ ଏଭଳି ଉପଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

267

କନକ ବ୍ୟୁରୋ: ଇଂରାଜୀ ନୁହେଁ, ଆଂଚଳିକ ଭାଷାରେ ହେଉ ଶୁଣାଣି । କୋର୍ଟରେ ଆଂଚଳିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହା ଦ୍ୱାରା ନ୍ୟାୟ ବ୍ୟବସ୍ଥା ଉପରେ ନାଗରିକମାନଙ୍କର ବିଶ୍ୱାସ ବଢିବ । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କର ମିଳିତ ସମ୍ମିଳନୀରେ ଯୋଗଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦିଆଗଲେ ସାଧାରଣ ନାଗରିକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶନିବାର ଦିଲ୍ଲୀ ବିଜ୍ଞାନଭବନରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟବିଚାରପତଙ୍କ ମିଳିତ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି କଥା କହିଛନ୍ତି । ମୋଦି କହିଛନ୍ତି ଆଂଚଳିକ ଭାଷାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ ରହିଛି । କାରଣ ଏହା ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ବିଚାର ବ୍ୟବସ୍ଥା ସହ ସାଧାରଣ ଜନତାଙ୍କ ସଂଶ୍ଲିଷ୍ଟ ଥିବା ସେମାନଙ୍କୁ ଅନୁଭବ କରାଇବ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ବର୍ଷ ପାଳୁଛି । ଏହି ସମୟରେ ସମସ୍ତଙ୍କୁ ଉଚିତ ଓ ସରଳ ଉପାୟରେ ତୁରନ୍ତ ବିଚାର ମିଳିପାରିବା ଭଳି ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ଧ୍ୟାନ ଦେବା ଜରୁରୀ । ଦେଶରେ ଆଇନ ଶିକ୍ଷାକୁ ଅର୍ନ୍ତଜାତିକ ସ୍ତରରେ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନ୍ୟାୟିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।