ଏସସି/ଏସଟି ଆକ୍ଟ ବାବଦରେ କଣ କହିଲେ ସୁପ୍ରିମକୋର୍ଟ ! ନିଆଁ ଜଳିଲା ହେଲେ, ରିହାତିଦେଶ ମିଳିଲାନି

53

କନକ ବ୍ୟୁରୋ : ଏସସି/ଏସଟି ଆକ୍ଟ ରାୟ ଉପରେ ରୋକ ଲାଗିବ ନାହିଁ । ଆଜି ଏସସି/ଏସଟି ଆଇନ ପ୍ରସଙ୍ଗରେ ଦିଆଯାଇଥିବା ରାୟ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ । ଏହି ଆଇନ ଉପରେ ଆସିଥିବା ରାୟର ପୁନଃ ବିଚାର କରିବା ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଆଜି ଏହାର ଶୁଣାଣି କରି ପୂର୍ବ ରାୟକୁ କାଏମ ରଖିଥିଲେ ସବୋର୍ଚ୍ଚ କୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତିରେ କେନ୍ଦ୍ର ସରକାରଙ୍କୁ ଜବରଦସ୍ତ ଝଟକା ଲାଗିଛି । ଜଷ୍ଟିସ ଏକେ ଗୋଏଲ ଓ ଜଷ୍ଟିସ ୟୁ ୟୁ ଲଳିତଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ଏହାଛଡା ପ୍ରତିପକ୍ଷଙ୍କୁ ୨ ଦିନ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ସବୋର୍ଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୦ ଦିନ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ପୂର୍ବରୁ ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏସସି/ଏସଟି ଆକ୍ଟ ଅନୁଯାୟୀ ହେଉଥିବା ତୁରନ୍ତ ଗିରଫଦାରୀ ଉପରେ ରୋକ ଲଗାଇଥିଲେ । ତଦନ୍ତ ପରେ ଗିରଫ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଯାହାକୁ ନେଇ ଗତକାଲି ବିଭିନ୍ନ ଦଳିତ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିଲେ । ଏହି ଆନ୍ଦୋଳନ ସମୟରେ ଅନେକ ରାଜ୍ୟରେ ବ୍ୟାପକ ହିଂସା ଦେଖା ଦେଇଥିଲା । ଆଉ ଏହି ହିଂସାରେ ୧୦ ଜଣ ନିରୀହ ଲୋକଙ୍କ ଜୀବନ ଚାଲିଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାୟର ପୁନଃ ବିଚାର କରିବା ପାଇଁ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ପୂର୍ବ ରାୟକୁ କାଏମ ରଖିଥିଲେ । ଏହାସହ ସବୋର୍ଚ୍ଚ କୋର୍ଟ କହିଥିଲେ କି ଏହି ଆକ୍ଟ ବିରୋଧରେ ଆମେ ନାହୁଁ କିନ୍ତୁ ନିର୍ଦ୍ଦୋଷ ଯେପରି ଦଣ୍ଡ ନ ପାଇବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ ।

ଏସସି/ଏସଟି ଆକ୍ଟ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବିରୋଧରେ ଅଭିଯୋଗ ଆସେ ତେବେ ବିନା ତଦନ୍ତରେ ତୁରନ୍ତ ଗିରଫ କରାଯାଉଥିଲା । ଫଳରେ ଅନେକ ନିର୍ଦ୍ଦୋଷ ବ୍ୟକ୍ତି ବିନା କାରଣରେ ଦଣ୍ଡ ପାଉଥିଲେ । ତେଣୁ ପ୍ରାଥମିକ ଯାଞ୍ଚ ପରେ ଗିରଫ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ଦଳିତ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବା ସହ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା ।