କର୍ଣ୍ଣାଟକ ପାଇଁ ରାତିରେ ଖୋଲିଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ! ଶୁକ୍ରବାର ପର୍ଯ୍ୟନ୍ତ ରହିଲା ସସପେନ୍ସ

57

ଗତକାଲି ସରକାର ଗଠନ ପାଇଁ ବିଜେପିକୁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ସାରା ଦେଶରେ ରାଜନୀତିର ପାରା ଉପରକୁ ଚଢିଯାଇଥିଲା । ତୁରନ୍ତ ସୁପ୍ରିମକୋର୍ଟରେ ଶପଥ ଗ୍ରହଣ ଉପରେ ରୋକ ଲଗାଇବା ପାଇଁ ଆବେଦନ କଲେ କଂଗ୍ରେସ ଓ ଜେଡିଏସ । ଏହା ପରେ ସୁପ୍ରିମକୋର୍ଟରେ ଚାଲିଲା ସାରାରାତି ଶୁଣାଣି । କିନ୍ତୁ କର୍ଣ୍ଣାଟକରେ ଚାଲିଥିଲା ମିଡ୍ ନାଇଟ୍ ଡ୍ରାମା । ତୀବ୍ର ରାଜୈନତିକ ବିବାଦ ଭିତରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ଆରମ୍ଭ ହୋଇଗଲା ମିଡନାଇଟ ଡ୍ରାମା । ମଧ୍ୟରାତ୍ରରେ ଖୋଲିଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।

ସମୟ : ରାତି ୯ଟା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କର୍ଣ୍ଣାଟକରେ ସରକାର ଗଠନ ପାଇଁ ବିଜେପି ବିଧାୟକ ଦଳ ନେତା ୟେଦିୟୁରପ୍ପାଙ୍କୁ ନିମନ୍ତ୍ରଣ କଲେ ରାଜ୍ୟପାଳ ବଜୁଭାଇ ଭାଲା । ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ କଲେ । ଆଉ ଏହାପରେ କର୍ଣ୍ଣାଟକ ରାଜନୀତିର ପାରା ବଢ଼ିବାରେ ଲାଗିଲା ।ରାତି ୧୦ଟା ୪୦ । ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଂଚି ଆବେଦନ କଲା କଂଗ୍ରେସ । ଦିନ ୪ଟା ଯାଏଁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଟାଳିବ ସହ ମଧ୍ୟରାତ୍ରିରେ ଶୁଣାଣି ପାଇଁ କଂଗ୍ରେସ କଲା ଆବେଦନ । ଆଉ ଏହାପରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବାସଭବନକୁ ଯାଇ କଂଗ୍ରେସ ଆବେଦନ ସମ୍ପର୍କରେ ସୂଚନା ଦେଲେ ରେଜିଷ୍ଟ୍ରାର । ଏହାପରେ ଆବେଦନର ଯାଂଚ ଆରମ୍ଭ କଲେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ।

ସମୟ : ରାତି ୧୨ଟା ୨୫ । ସୁପ୍ରିମକୋର୍ଟଙ୍କ ବରିଷ୍ଠ ଅଧିକାରୀ ପ୍ରଧାନ ବିଚାରପତିଙ୍କ ଘରେ ପହଞ୍ଚିଥିଲେ । ମଧ୍ୟରାତ୍ରି ବିତି ସାରିଥିଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନ ବିଚାରପତି । ଦୀର୍ଘ ସମୟର ଆଲୋଚନା ପରେ ରାତି ପ୍ରାୟ ୧ଟା ୫ ମିନିଟରେ କଂଗ୍ରେସ ଆବେଦନର ଶୁଣାଣି କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଗୋଟାଏ ୪୫ମିନିଟରେ ଶୁଣାଣି ହେବ ବୋଲି କୁହାଯାଇଥିଲା ।

କଂଗ୍ରେସ ପାଇଁ ଖୁସି ଖବର ଆସିଥିଲା ଯେ ତାର ଆବେଦନ ମଂଜୁର ହୋଇଥିଲା । ରାତି ଗୋଟାଏ ୪୫ରେ ସୁପ୍ରିମକୋର୍ଟର କୋର୍ଟ ନମ୍ବର ୬ର ଶୁଣାଣି ହେବା ପାଇଁ ଧାର୍ଯ୍ୟ ହୋଇଥିଲା । କଂଗ୍ରେସର ଆବେଦନର ଶୁଣାଣି ପାଇଁ ୩ବିଚାରପତିଙ୍କ ଖଣ୍ଡପୀଠ ଗଠନ କଲେ ପ୍ରଧାନ ବିଚାରପତି । ବିଚାରପତି ଅଶୋକ ଭୂଷଣ, ବିଚାରପତି ଏସ.ଏ ବୋବଡେ ଓ ବିଚାରପତି ଏ.କେ ସିକରୀଙ୍କ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବ ବୋଲି ପ୍ରଧାନ ବିଚାରପତି ନିଷ୍ପତି ନେଲେ । ଯେମିତି ରାତି ବିତି ଚାଲିଥିଲା ସେମିତି ରାଜନୈତିକ ଡ୍ରାମା ଜୋର୍ ଧରୁଥିଲା ।

ରାତି ୧ଟା ୪୦ରେ ଶୁଣାଣି ପାଇଁ ଉଭୟ ପକ୍ଷର ଓକିଲ ସୁପ୍ରିମକୋର୍ଟର କୋର୍ଟ ନମ୍ବର ୬ରେ ପହଂଚିଲେ । ପ୍ରସ୍ତୁତି ଆରମ୍ଭ ହେଲା ନିଜ ନିଜ ପକ୍ଷର ଯୁକ୍ତି ରଖିବା ପାଇଁ । ଆଉ ଏହାପରେ ଖଣ୍ଡପୀଠର ୩ଜଣ ବିଚାରପତି କୋର୍ଟ ରୁମରେ ପହଂଚିଥିଲେ । ୧୫ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା ଶୁଣାଣି । ପୁରା ରାତି ଉଭୟ ପକ୍ଷର ଓକିଲ ନିଜ ନିଜ ଯୁକ୍ତି ରଖିଥିଲେ । ପ୍ରାୟ ସାଢେ ତିନି ଘଂଟା ଧରି ଉଭୟ ପକ୍ଷର ସମସ୍ତ ଯୁକ୍ତି ଶୁଣିଥିଲେ ଖଣ୍ଡପୀଠ ।

ୟେଦିୟୁରପ୍ପାଙ୍କ ସପକ୍ଷରେ ଆସିଥିଲା ସୁପ୍ରିମକୋର୍ଟଙ୍କ ରାୟ । ଖଣ୍ଡପୀଠ ଶୁଣାଣି କରି କହିଥିଲେ ଯେ, ବର୍ତମାନ ୟେଦିୟୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବକୁ ରୋକା ଯାଇ ପାରିବନାହିଁ । ଶୁକ୍ରବାର ଦିନ ମାମଲାର ପରବର୍ତୀ ଶୁଣାଣି ହେବ ।