ହେଲଥ୍ ୱେବନରରେ ମୋଦିଙ୍କ ବକ୍ତବ୍ୟ , କହିଲେ କରୋନା ଅଗ୍ନିପରୀକ୍ଷାରେ ସଫଳ ହୋଇଛି ଦେଶ

80

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଦେଶର ଲୋକମାନେ ଲଢିଥିବା ଲଢେଇରେ ଦେଶକୁ ସଫଳତା ମିଳିଛି । ଏହି ମହାମାରୀ ବିରୋଧରେ ଲଢିବା ଦେଶବାସୀଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ଥିଲା ବୋଲି ଏକ ହେଲଥ୍ ୱେବନରକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି କହିଛନ୍ତି କି ଭାରତ ଯୋଜନାବଦ୍ଧ ଭାବେ ଲଢି ଏଭଳି ମହାବିପଦରୁ ରକ୍ଷା ପାଇ ପାରିଛି ।

ହେଲଥ୍ ୱେବନରକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆବଣ୍ଟିତ ହୋଇଥିବା ଅର୍ଥକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଅବଣ୍ଟିତ ହୋଇଥିବା ଅର୍ଥ ବେସ୍ ଉତ୍ସାହଜନକ । ଆବଣ୍ଟିତ ହୋଇଥିବା ଅର୍ଥ ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ମିଳିପାରିବ । ଏହାସହ ଆଗକୁ ଭାରତ କିଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ସେ ନେଇ ୪ ଟି ସ୍ତରରେ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ପ୍ରଥମ ସ୍ତରରେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ରୋକିବା କାର୍ଯ୍ୟ ସମ୍ପର୍ଣ୍ଣ ହେଉଛି, ଦ୍ୱିତୀୟ ସ୍ତରରେ ଗରୀବ ମାନଙ୍କୁ ଶସ୍ତା ଓ ପ୍ରଭାବଶାଳୀ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି, ତୃତୀୟ ସ୍ତରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମୀଙ୍କ ସଂଖ୍ୟା ଓ ଗୁଣବତ୍ତା ଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଛି । ସେହିପରି ଚତୁର୍ଥ ସ୍ତରରେ ଦେଶର ସ୍ୱାସ୍ଥ୍ୟସେବାର ସଂପ୍ରସାରଣ ‘ଇନ୍ଦ୍ରଧନୁଷ’ ଭଳି ଯୋଜନା ମାଧ୍ୟମରେ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସ୍ୱାସ୍ଥ୍ୟସେବାର ଗୁରୁତ୍ୱକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଚଳିତ ବଜେଟରେ ପୂର୍ବବର୍ଷ ତୁଳନାରେ ୧୩୭ ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ କରାଯାଇଛି । ଗତ ବଜେଟରେ ଏହି କ୍ଷେତ୍ରକୁ ୯୪,୪୫୨ କୋଟି ଟଙ୍କା ଆବଣ୍ଟିତ ହୋଇଥିବା ବେଳେ ଚଳିତ ବଜେଟରେ ଏହାକୁ ବୃଦ୍ଧି କରାଯାଇ ୨,୨୩,୮୪୬ କୋଟି ଟଙ୍କା କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।