କନକ ବ୍ୟୁରୋ: ବଦଳୁଛି ପାଣିପାଗ ଆଉ ଜଳବାୟୁରେ ହେଉଛି ପରିବର୍ତ୍ତନ । ଦେଖିବାକୁ ମିଳୁଛି ବର୍ଷା, ପବନ ଓ ସନ୍ତସନ୍ତିଆ ପାଗ । ବର୍ଷା ଦିନିଆ ପବନ ଦେହ ପାଇଁ ଖୁବ୍ ଭଲ ହୋଇଥାଏ । ବର୍ଷା ହୋଇ ବାୟୁମଣ୍ଡଳର ଧୂଳିକଣା ଧୋଇ ହୋଇ ଯାଇଥିବା ହେତୁ ଆମକୁ ସ୍ୱଚ୍ଛ ପବନ ମିଳିଥାଏ । ହେଲେ ବର୍ଷା ଦିନ ସବୁ ଦିଗରୁ ମଙ୍ଗଳମୟ ନୁହେଁ । ଏହି ଋତୁରେ ଶରୀର ଅସୁସ୍ଥ ହେବାର ଅନେକଗୁଡ଼ିଏ କାରଣ ରହିଛି। ତେବେ, ଚାଲନ୍ତୁ ଜାଣିବା କ’ଣ ସବୁ ଏହି ଦିନେ ନଖାଇବା ଦ୍ୱାରା ଆମେ ଆମ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିପାରିବା ।
ଖାସ୍ କରି ବର୍ଷା ଦିନିଆ ରାସ୍ତାକଡ଼ ଖାଦ୍ୟ ଖାଆନ୍ତୁ ନାହିଁ । ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ଦୋକାନମାନଙ୍କରେ ତେଲଭାଜି ଖାଇବା ଦ୍ୱାରା ଶରୀର ଅସୁସ୍ଥ ହେବାର ବହୁ ସମ୍ଭାବନା ରହିଛି । ବର୍ଷା ଦିନିଆ ବନ୍ଧା କୋବି ଆଦୌ ଖାଆନ୍ତୁ ନାହିଁ । ବନ୍ଧା କୋବିର ପତ୍ରରେ ବହୁ କୁନି କୁନି ପୋକ ସବୁ ଲାଗି କରି ରହିଥାନ୍ତି । ଏହା ପେଟକୁ ଗଲେ ଖାଦ୍ୟକୁ ବିଷାକ୍ତ କରିପକାନ୍ତି ।
ବର୍ଷା ଦିନେ ଅତିରିକ୍ତ ଖଟା କିମ୍ବା ଆଚାର ଖାଇବା ଆଦୌ ଦେହ ପକ୍ଷେ ସୁସ୍ଥକର ନୁହେଁ । ଏସବୁ ଖାଦ୍ୟ ରୁ ନିଜକୁ ଦୂରେଇ ରଖିଲେ ଭଲ । କୌଣସି ବି ପରିବା କିମ୍ବା ଫଳ କାଟିକି ରଖି ପରବର୍ତ୍ତୀ ମୁହୂର୍ତ୍ତରେ ଖାଆନ୍ତୁ ନାହିଁ । କଟା ଫଳ କିମ୍ବା ପରିବା ବର୍ଷା ଦିନେ କିଛି କ୍ଷଣ ବାହାରେ ରହିବା ପରେ ବିଷାକ୍ତ ହୋଇଯାଏ ।