କନକ ବ୍ୟୁରୋ : ସୁସ୍ଥ ଜୀବନ ପାଇଁ ଦରକାର ଯୋଗ । କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ । ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁର । ଆଜି କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଦିନର ଶୁଭାରମ୍ଭ ହୋଇଥିଲା, ଯାହା ଏବେ ୧୧ ବର୍ଷରେ ପହଞ୍ଚିଛି ।
ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଖାପାଟଣାରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୩ଲକ୍ଷରୁ ଅଧିକ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଶାଖାପାଟଣାର ଆର୍. କେ. ବେଳାଭୂମିରୁ ଭୋଗପୁରମ ପର୍ଯ୍ୟନ୍ତ ୨୬ କିଲୋମିଟର ଦୀର୍ଘ ଉପକୂଳ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିଛନ୍ତି । ଭାରତ ସମେତ ସମଗ୍ର ବିଶ୍ବରେ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ଭବ୍ୟ ଆକାରରେ ପାଳନ କରାଯିବ । ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’। ଯାହାକି ବିଶ୍ୱ କଲ୍ୟାଣ ପାଇଁ ଭାରତର ସାମଗ୍ରିକ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ।
ସେହିପରି ଓଡ଼ିଶାରେ ମଧ୍ୟ ଆଜି ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ ହେବ । କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଯୋଗ ଦିବସ ପାଳନ ହେବ । ଯେଉଁଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ ହେବ ।