କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପୁଛି ।  କଟକ ଜିଲ୍ଲାରେ ମଧ୍ୟ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦୂଷିତ ପିଇବା ପାଣି ହିଁ ଝାଡ଼ାବାନ୍ତିର କାରଣ ବୋଲି କୁହାଯାଉଛି । କଟକ ସହରରେ ଏପର୍ଯ୍ୟନ୍ତ କେହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇନାହାନ୍ତି, କିନ୍ତୁ ପାନୀୟଜଳ ଯୋଗାଣର ବ୍ୟବସ୍ଥା ଯାହା, ସେଥିଯୋଗୁ କେଉଁ ମୁହୂର୍ତ୍ତରେ ଝାଡ଼ାବାନ୍ତି ବ୍ୟାପିବ, କହିହେବନାହିଁ । ପ୍ରାୟ ସବୁ ପାଣି ପାଇପରେ ଶିଉଳି ଲାଗିଛି । ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଯାଇଛି ପିଇବା ପାଣି ପାଇପ୍ । ପିଇବା ପାଣିର ସ୍ୱଚ୍ଛତା ନେଇ କଟକ ମହାନଗର ନିଗମ କିମ୍ବା ଜିଲ୍ଲା ପ୍ରଶାସନ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି । ଫଳରେ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । 

Advertisment

ଡ୍ରେନ୍ ପାଖରେ ପାଣି ପାଇପ୍
ପାଣି ଦୂଷିତ ହେବା ଆଶଙ୍କା
କଟକ ସହରରେ ଅଧିକାଂଶ ପାଣି ପାଇପ୍ ଡ୍ରେନ୍ କଡ଼ରେ କିମ୍ବା ଡ୍ରେନ୍ ଭିତରେ ଯାଇଛି । ପିଇବା ପାଣିରେ ଦୂଷିତ ପାଣି ମିଶିବାର ଯଥେଷ୍ଟ ଆଶଙ୍କା ରହୁଛି ।  ପ୍ରତିଷେଧକ ବ୍ୟବସ୍ଥା କରାଯାଉନାହିଁ । କଟକ ଜିଲ୍ଲାରେ ଝାଡ଼ାବାନ୍ତି ନବ୍ୟାପିବା ପାଇଁ ପଦକ୍ଷେପ ନିଆଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ସହର ଉପରେ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ । ଲୋକଙ୍କୁ ମଧ୍ୟ ସଚେତନ କରାଯାଇନାହିଁ । ଝାଡ଼ାବାନ୍ତି ନବ୍ୟାପିବା ପାଇଁ ସହରରେ ପଦକ୍ଷେପ ନିଆଯାଉନଥିବା ଲୋକ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ କଟକ ସହରରେ ଝାଡ଼ାବାନ୍ତି ବ୍ୟାପିଲେ ଅବସ୍ଥା ଅସମ୍ଭାଳ ହୋଇପଡ଼ିବ ।