କନକ ବ୍ୟୁରୋ : ରାଜଧାନୀରେ ଜଣ୍ଡିସ ଆତଙ୍କ । ରାଜ୍ୟରେ ଜିଲ୍ଲା ପରେ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ଭୁବନେଶ୍ୱରରେ ଜଣ୍ଡିସ ଆତଙ୍କ ଦେଖା ଦେଇଛି । ପ୍ରାୟ ୫୦ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । କର୍ତ୍ତୃପକ୍ଷ କିନ୍ତୁ ଏକପ୍ରକାର ନିଦାବିଷ୍ଣୁ । ଓଲଟା ଦୋଷ ଛଡ଼ାଇବାରେ ବ୍ୟସ୍ତ ।
କାୟା ମେଲାଉଛି ଜଣ୍ଡିସ୍
ରାଜଧାନୀ ଭୁବନେଶ୍ବରର ବଡ଼ଗଡ଼ ଅଞ୍ଚଳରେ ଦେଖାଦେଇଛି ଜଣ୍ଡିସ । ବଡ଼ଗଡ଼ ବ୍ରିଟ୍ କଲୋନି ଅଞ୍ଚଳରେ ଜଣ୍ଡିସ ଆତଙ୍କ ଦେଖାଦେଇଛି । ଦିନକୁ ଦିନ ବଢୁଛି ଏହି ରୋଗୀଙ୍କ ସଂଖ୍ୟା । ବ୍ରିଟ୍ ଇଏ କଲୋନି, ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ଜଣ୍ଡିସ୍ ରୋଗୀସଂଖ୍ୟା ପାଖାପାଖି ୫୦ ଛୁଇଁଥିବା ବେଳେ କିଛି ରୋଗୀ ଏହା ମଧ୍ୟରେ ସୁସ୍ଥ ହୋଇଛନ୍ତି । ଏହି ଅଞ୍ଚଳରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପରେ ଜଣ୍ଡିସ ଚିହ୍ନଟ ହୋଇଛି ।
ପିଇବା ପାଣିରୁ ଭୁବନେଶ୍ୱରରେ ଜଣ୍ଡିସ୍ ବ୍ୟାପୁଥିବା ଜଣାପଡ଼ିବା ପରେ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି । କିନ୍ତୁ ନିଜ ଦୋଷ ଛଡ଼ାଇ ଦେଇଛି ଜଳ ଯୋଗାଣ ସଂସ୍ଥା ୱାଟକୋ । ସଂସ୍ଥାର ଏମଡି କହିଛନ୍ତି, ନଦୀରୁ ଯୋଗାଣ ହେଉଥିବା ପାଣିରେ ସମସ୍ୟା ନାହିଁ । ଭୂତଳ ଜଳ ଓ ଲୋକ ସଂରକ୍ଷିତ ରଖୁଥିବା ପାଣିରେ ସମସ୍ୟା ଥାଇପାରେ । ଟେଷ୍ଟିଂ ବଢ଼ାଯାଇଛି । ପାଣି ଚୋରି କରୁଥିବା ଲୋକ ସମସ୍ୟା ବଢାଉଛନ୍ତି।
ଭୁବନେଶ୍ବରରେ ଜଣ୍ଡିସ୍ ବ୍ୟାପିବା ନେଇ ସ୍ୱାସ୍ଥ୍ୟ ବିଭାଗ କିମ୍ୱା ମହାନଗର ନିଗମର ପ୍ରତିକ୍ରିୟା ମିଳିନାହିଁ । କେତେବେଳେ ଝାଡ଼ାବାନ୍ତି ତ କେତେବେଳେ ଡେଙ୍ଗୁ । ପୁଣି ଜଣ୍ଡିସ୍ ପାଇଁ ନୟାନ୍ତ ହେଲେଣି ରାଜଧାନୀ ବାସିନ୍ଦା । ଏସବୁର ସ୍ଥାୟୀ ପ୍ରତିକାର ନହେଲେ ସ୍ଥିତି ସାଂଘାତିକ ହେବାର ଆଶଙ୍କା ରହିଛି ।