ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ । ଜଙ୍ଗଲ ଆଉ ନଈ ପାରି ହୋଇ..ଦେବଦୂତ ସାଜି ପହଞ୍ଚିଲେ ଡାକ୍ତର, ବଞ୍ଚାଇଦେଲେ ଜୀବନ ।

297

କନକ ବ୍ୟୁରୋ : ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ । ଜଙ୍ଗଲ ଆଉ ନଈ ପାରି ହୋଇ..ଦେବଦୂତ ସାଜି ପହଞ୍ଚିଲେ ଡାକ୍ତର । ଡାକ୍ତର ନୁହେଁ, ଆପଣମାନେ ଦେବତା । କରୋନାରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସେବା ପାଇଁ ଭରା ନଈ ପାରି ହେଲେ ଆଉ ଜଙ୍ଗଲ ଭିତରେ ୮କିଲୋମିଟର ଚାଲିଲେ ଡାକ୍ତର । କରୋନା କାଳରେ କିଛି ଏଭଳି ଚିତ୍ର ଆସିଛି, କେରଳର ତିରୁଅନନ୍ତପୁରମରୁ ।

ସୂଚନା ଅନୁଯାୟୀ, କେରଳର ପାହାଡିଆ ଅଂଚଳରେ ଥିବା ମୁରୁଗୁଲାରେ କାୟାମେଲାଇଛି କରୋନା । ତେବେ ଏହି ଜଙ୍ଗଲୀ ଇଲାକାରେ ଇରୁଲା, ମୁଦୁଗର ଏବଂ କୁରୁମ୍ବା ଜନଜାତିର ପ୍ରାୟ ୧୦୦ରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ଗତ ସପ୍ତାହରେ ଏଠାରେ ରହୁଥିବା ଗୋଟିଏ ପରିବାରର ତିନି ଜଣ ଲୋକ ଜ୍ୱରରେ ପୀଡିତ ହୋଇଥିବା ଜଣାପଡିଥିଲା । ଗାଁକୁ ରାସ୍ତାଖଣ୍ଡେ ନଥିବାରୁ ଏଠାରେ ସ୍ୱାସ୍ଥ୍ୟସେବା ସାତସପନ ହୋଇରହିଛି । ଫଳରେ ଚିକିତ୍ସା ନପାଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀ ।

ତେବେ ଏହି ଖବର ଡୋମିସିଲିୟାରି କେୟାର ସେଂଟରର ଡାକ୍ତରୀ ଦଳଙ୍କ ପାଖରେ ପହଂଚିଥିଲା । ଆଉ ଏହା ପରେ ବିଳମ୍ବ ନକରି କାର ଯୋଗେ ସେହି ଗାଁ ଅଭିମୁଖେ ବାହାରିଯାଇଥିଲେ, ୩ଜଣ ଡାକ୍ତର । ହେଲେ ଗାଁକୁ କାର ଯିବା ତ ସ୍ୱପ୍ନ, ସାଇକେଲ୍ ଖଣ୍ଡେ ବି ଯିବା କଷ୍ଟକର ବ୍ୟାପାର । ଆଉ ସେଇଥିପାଇଁ ଏକ ନଦୀ ପାରି ହୋଇ ଘଂଚ ଜଙ୍ଗଲ ଭିତରେ ୮ କିଲୋମିଟର ଚାଲିଚାଲି ଯାଇ ଗାଁରେ ପହଂଚିଥିଲେ ଡାକ୍ତର । ଆଉ ଗୁରୁତର ଥିବା ରୋଗୀଙ୍କର ଜୀବନ ବଂଚାଇଥିଲେ ।

ତେବେ ଡାକ୍ତରୀଦଳ ଗାଁରେ ପହଂଚିବା ପରେ ୩୦ରୁ ଅଧିକ ଲୋକଙ୍କର ରାପିଡ୍ ଆଂଚିଜେନ୍ ଟେଷ୍ଟ କରାଯାଇଥିଲା । ଆଉ ସେଥି ମଧ୍ୟରୁ ୭ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଦେବଦୂତ ସାଜି ରୋଗୀଙ୍କ ଜୀବନ ବଂଚାଇଥିବା ଡାକ୍ତର ସୁକନ୍ୟା, ହେଲଥ ଇନ୍ସପେକ୍ଟର ଡାକ୍ତର ସୁନୀଲ ବସୁ, ଜୁନିୟର ହେଲଥ ଇନ୍ସପେକ୍ଟର ଡାକ୍ତର ଶୌଜ ଓ କାର ଚାଳକ ସାଜେଶଙ୍କର ଏପରି ମହତ କାମକୁ ପ୍ରଂଶସା କରିଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ତେବେ କରୋନା କାଳରେ ନିଜ କଥା ଭାବିବା ତ ଦୂରର କଥା ନିଜ ପରିବାରକୁ ପର କରି ରୋଗୀଙ୍କ ସେବାରେ ନିଜକୁ ସମର୍ପି ଦେଇଥିବା ପ୍ରତିଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଆମର ଶହେ ସଲାମ୍ ।