କୋଭିଡ ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ନା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଟିକା ନେବେନି ବୋଲି ମନା କଲେ କୋଭିଡ ଯୋଦ୍ଧା, ଖୋର୍ଦ୍ଧାର ୬୫୦ ସ୍ୱାସ୍ଥ୍ୟକର୍ମୀ ସିଡିଏମଓଙ୍କୁ ଦେଲେ ଦାବି ପତ୍ର ।

173

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ଟିକାକରଣ । ଭୁବନେଶ୍ୱରରେ ଟିକା ପହଚିଂବା ପରେ ସମସ୍ତ ଜିଲ୍ଳାକୁ ମଧ୍ୟ ଟିକା ପଠାସାରିଛି । କୋଭିଡ ଯୋଦ୍ଧାଙ୍କୁ ପ୍ରଥମେ ଟିକା ଦିଆଯିବ । ଏନେଇ ଖୋର୍ଦ୍ଧାରେ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି ।ହେଲେ ଜିଲ୍ଲାରେ ଟିକା ନେବାକୁ ମନା କରିଛନ୍ତି ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ।ଏନେଇ ସଂଘର ଏକାଧିକ କର୍ମୀ ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡର ପୁର୍ନଗଠନ ଓ ପଦବୀ ପରିବର୍ତନ ନେଇ ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ୧୫ ହଜାର ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବେ ନାହିଁ ବୋଲି କହିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୬୫୦ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ଦୀର୍ଘ ୧୦ ବର୍ଷ ଧରି ୪ଟି ସଂଘ ମିଳିତ ଭାବେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ବାରମ୍ବାର ଲିଖିତ ଦାବି ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ।