ନାହିଁ ନାହିଁରେ ଚାଲିଛି ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା । ଉପ ସ୍ୱାସ୍ଥ୍ର୍ୟକେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଡାକ୍ତର ଅଭାବ

74

କନକ ବ୍ୟୁରୋ : ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲାରେ ଡାକ୍ତର ମରୁଡି। କେବଳ ଡାକ୍ତର ନୁହନ୍ତି ନର୍ସିଂ ଅଧିକାରୀ, ଫାର୍ମାସିଷ୍ଟ, ଲ୍ୟାବ ଟେକ୍ନିସିଆନ ଓ ରେଡିଓଗ୍ରାଫର ପଦବୀ ମଧ୍ୟ ଖାଲି ପଡିଛି। ଗଜପତି ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୨୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଟିଏ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଓ ୧୩୬ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଛି। ହେଲେ ସବୁ ସ୍ଥାନରେ ଅଧାରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ନାହାନ୍ତି । ମୁଖ୍ୟ ଚିକିତ୍ସାଳୟରେ ୧୨୬ ବଦଳରେ ଅଛନ୍ତି ମାତ୍ର ୨୮ଜଣ ଡାକ୍ତର । ସେହିପରି ଜିଲ୍ଲାରେ ଆବଶ୍ୟକ ମୋଟ ୩୧୫ଟି ଡାକ୍ତର ପଦବୀରୁ ୧୦୮ଟି ଖାଲି ପଡ଼ିଛି। କେବଳ ଡାକ୍ତର ନୁହଁନ୍ତି, ୨୨୨ଟି ନର୍ସିଂ ଅଫିସର ପଦବୀ, ୨୩ଟି ଫାର୍ମାଶିଷ୍ଟ ପୋଷ୍ଟ, ୨୩ଟି ଲ୍ୟାବ ଟେକ୍ନିସିଆନ ଓ ୭ ଟି ରେଡିଓଗ୍ରାଫର ପଦବୀ ଖାଲି ପଡିଛି ।

ଜିଲ୍ଲାରେ ଡାକ୍ତର ଓ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ଅଭାବ ଯୋଗୁଁ ସଠିକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ଶିଶୁରୋଗ, ଆନେସ୍ଥେସିଆ ଓ ଇଏନଟି ଭଳି ବିଭାଗରେ ଡାକ୍ତର ନଥିବାରୁ ଲୋକେ ଅସୁବିଧା ଭୋଗିବା କଥାକୁ ସ୍ୱୀକାର କରିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ । ଉପସ୍ଥିତ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା ପାରୁ ପର୍ୟ୍ୟନ୍ତ କରୁଛନ୍ତି କିନ୍ତୁ ଗୁରୁତର ସ୍ଥିତିରେ ରୋଗୀଙ୍କୁ ବାହାରକୁ ପଠାଇବାକୁ ବାଧ୍ୟ ହେଉଥିବା କହିଛନ୍ତି ।

ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଖାଲିଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ ତୁରନ୍ତ ପୁରଣ କରିବା ଜରୁରୀ ହୋଇପଡିଛି ।