ରାଜଧାନୀରେ ଅଣାୟତ ଡେଙ୍ଗୁ : କ୍ୟାପିଟାଲ ହସ୍ପିଟାଲ ବାହାରେ ଧାରଣାରେ ସଫେଇ କର୍ମଚାରୀ; ସଫେଇ କାର୍ଯ୍ୟରେ ବାଧାପ୍ରାପ୍ତ, ଗନ୍ଧରେ ଫାଟି ପଡ଼ୁଛି ପରିବେଶ

74

କନକ ବ୍ୟୁରୋ : ଆନ୍ଦୋଳନରେ ବସିଛନ୍ତି କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ । ଦାୟିତ୍ୱ ନେଇଥିବା ନୂଆ ସଂସ୍ଥାର ବିଭିନ୍ନ ନୀତିକୁ ବିରୋଧ କରି ଆନ୍ଦୋଳନର ବସିଛନ୍ତି ସଫେଇ କର୍ମଚାରୀ । ଫଳରେ ହସ୍ପିଟାଲରେ କୁଢ଼ କୁଢ଼ ମଇଳା ଜମା ହୋଇ ରହିଛି । ଦୁର୍ଗନ୍ଧରେ ଫାଟି ପଡ଼ୁଛି ବିଭିନ୍ନ ୱାର୍ଡ । ଏପଟେ ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ ହୋଇଛି । ଗତ ୮ଦିନରେ ୬ଶହ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଭାଇରାଲ ଫିଭର ବି ବ୍ୟାପୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ବି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ହସ୍ପିଟାଲ କର୍ତ୍ୟପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ଆନ୍ଦୋଳନରତ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । ସଫେଇ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ କ୍ୟାପିଟାଲ ହସ୍ପିଟାଲର ସଫେଇ ଟେଣ୍ଡର ଅନ୍ୟ ଏକ ସଂସ୍ଥା ପାଇଥିବା ବେଳେ ଆସନ୍ତା ୧୫ ତାରିଖରୁ କୁଏସ ନାମକ କମ୍ପାନୀ ଏହି ସଫେଇ କାର୍ଯ୍ୟର ଦାୟିତ୍ୱ ନେବ ।

କିନ୍ତୁ ପୂର୍ବ ଅପେକ୍ଷା ଦୈନିକ ୫୦ଟଙ୍କା କମ ମଜୁରୀ ଦେବାକୁ ଘୋଷଣା କରିଛି । ଏହାସହ ୨୪୪ଜଣ ହାଉସ କିପିିଂ କର୍ମଚାରୀ ଥିବା ବେଳେ ଏମାନଙ୍କର ୧୭ଜଣ ସୁପରଭାଇଜର ଅଛନ୍ତି । ଏବେ ନୂଆ କମ୍ପାନୀ ମାତ୍ର ଶହେ ଜଣଙ୍କୁ ନିଯୁକ୍ତି ଦେବ ବୋଲି କହୁଛି ତେଣୁ ୧୦ବର୍ଷ ଧରି କାମ କରୁଥିବା ବାକି ଲୋକ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଏବଂ ସମସ୍ୟାର ସମାଧାନ ହେଲେ ହିଁ ଆନ୍ଦୋଳନରୁ ଓହରିବେ ବୋଲି କହିଛନ୍ତି ।