ଏଣିକି ଟଙ୍କା ପାଇଁ ଅଟକି ରହିବନି ଗରିବଙ୍କ ଚିକିତ୍ସା ! ଲାଲକିଲ୍ଲାରୁ ମୋଦି, ଗାନ୍ଧି ମାର୍ଗରୁ ନବୀନ କଲେ ସ୍ୱାସ୍ଥ୍ୟ ସୁରକ୍ଷାର ସବୁଠୁ ବଡ ଘୋଷଣା

44

କନକ ବ୍ୟୁରୋ : ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରର ଦେଶ ଭାରତ ପାଇଁ ଆଜି ଏକ ବଡ ଦିନ । ଆଜି ସାରା ଦେଶ ପାଳୁଛି ୭୨ ତମ ସ୍ୱାଧୀନତା ଦିବସ । ଆଉ ଆଜିର ବଡ ଦିନରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ଦିଲ୍ଲୀ ଓ ଭୁବନେଶ୍ୱରରୁ ହୋଇଛି ବଡ ଘୋଷଣା । ଲାଲ କିଲ୍ଲାରୁ ଆୟୁଷମାନ ଭାରତ ଯୋଜନାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ ଏହା କାର୍ଯ୍ୟକାରୀ ହେବାକୁ ଆହୁରି ମାସେ ସମୟ ଲାଗିବ । ଏପଟେ ଆଜିଠାରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଗରିବଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଆରମ୍ଭ ହୋଇଥିବା ଏହି ଦୁଇଟି ସ୍କିମର ଲଢେଇ ବେଶ ଗୁରୁତ୍ୱ ରଖୁଛି । କାରଣ ମୋଦିଙ୍କ ଆୟୁଷ୍ମାନ ଯୋଜନାକୁ ପ୍ରତ୍ୟାଖ୍ୟାନ କରି ନିଜସ୍ୱ ଯୋଜନା ଆରମ୍ଭ କରିଛନ୍ତି ନବୀନ । ଆଗକୁ ନିର୍ବାଚନୀ ବର୍ଷ ଥିବାରୁ ଭୋଟବ୍ୟାଙ୍କ ଉପରେ ଏହାର ପ୍ରଭାବ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର ହେଉଛି ।

ଦିଲ୍ଲୀ ଲାଲ କିଲ୍ଲା ପ୍ରାଚୀରରୁ ୭୨ତମ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ଉଡାଇ ଦେଶବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୨୫ରୁ କାର୍ଯ୍ୟକାରୀ ହେବ କେନ୍ଦ୍ର ସରକାରଙ୍କ ମହତ୍ୱାକାକ୍ଷୀ ଯୋଜନା- ଆୟୁଷ୍ମାନ ଭାରତ । ଯେଉଁଥିରେ ଲାଭବାନ ହେବେ ଦେଶର ୧୦ କୋଟି ଗରିବ ପରିବାର । ପାଖାପାଖି ୫୦ କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା । ଆଉ ଏହାସହ ପରିବାର ପିଛା ବର୍ଷକୁ ୫ଲକ୍ଷ ଟଙ୍କା ଦେବେ ସରକାର । ଏପରିକି ସରକାରୀ ହସ୍ପିଟାଲରେ ଦୁଃସାଧ୍ୟ ରୋଗର ଚିକିତ୍ସା ଖର୍ଚ୍ଚ ମଧ୍ୟ ସରକାର କରିବେ ବୋଲି ଘୋଷଣା କରିଛନ୍ତି ମୋଦି ସରକାର ।

ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ହିତାଧିକାରୀ ଚୟନରେ ପାରଦର୍ଶିତା ରକ୍ଷା କରିବାକୁ ଚାହୁଁଛନ୍ତି ମୋଦି ସରକାର । ସେଥିପାଇଁ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳର ପରୀକ୍ଷଣ ଓ ଉପଯୋଗ ପାଇଁ ଆହୁରି ୪ରୁ ୬ ସପ୍ତାହ ଲାଗିବ ବୋଲି ମୋଦି କହିଛନ୍ତି । ଦେଶର ଆର୍ଥିକ ଅନଗ୍ରସର ଲୋକଙ୍କୁ ଚିକିତ୍ସା ଭଳି ମୌଳିକ ସେବା ଯୋଗାଇଦେଇ ଆଗାମୀ ନିର୍ବାଚନ ପାଇଁ ଏକ ବଡ ଭୋଟବ୍ୟାଙ୍କକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର ।

ଏସବୁ ଭିତରେ କେନ୍ଦ୍ରରେ ମୋଦି ସରକାର ଆରମ୍ଭ କରିବାକୁ ଯାଉଥିବା ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟରେ ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ମାସ ପୂର୍ବରୁ ଏନେଇ ଘୋଷଣା କରିଥିବାବେଳେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନବେଳେ ଏଥିରେ ମୋହର ମାରିଛନ୍ତି ନବୀନ । ନିଜ ଅଭିଭାଷଣରେ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ଯେଉଁଥିରେ ଏହି ଯୋଜନାର ଲାଭ ପାଇବେ ୭୦ ଲକ୍ଷ ପରିବାର । ପାଖାପାଖି ସାଢେ ତିନି କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ ସୁରକ୍ଷା । ଗୋଟିଏ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ସ୍ୱାସ୍ଥ୍ୟ ବୀମା ମିଳିବ । ତେବେ ମୋଦି ସରକାରଙ୍କ ଆୟୁଷମାନ ଭାରତରେ ବଂଚିତ ହୋଇଥାନ୍ତେ ପ୍ରାୟ ୯ ଲକ୍ଷ ପରିବାର କାରଣ ଏହି ଯୋଜନାରେ ରାଜ୍ୟର ୬୧ ଲକ୍ଷ ପରିବାରକୁ ସାମିଲ କରିବାକୁ ଚାହୁଁଥିଲେ ମୋଦି ସରକାର ।ଭୋଟ ରାଜନୀତିରେ ସମାଜର ଏକ ବଡବର୍ଗକୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ପଛରେ ରାଜନତିକ ଉଦ୍ଦେଶ୍ୟ ଥାଇପାରେ । ହେଲେ ସ୍ୱାସ୍ଥ୍ୟ ବାବଦରେ ଗୋଟିଏ ପରିବାରରେ ହେଉଥିବା ଖର୍ଚ୍ଚ ଆଉ ଏଥିପାଇଁ ସାମ୍ନା କରୁଥିବା ସମସ୍ୟା ଦୂର କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।