ସକାଳେ ଖାଲି ପେଟରେ ପିଉଛନ୍ତି କି ଚା ? ହୋଇଯାଆନ୍ତୁ ସାବଧାନ

1,261

କନକ ବ୍ୟୁରୋ : ଅନ୍ୟ ନିଶା ଭଳି ଚା ପିଇବା କିଛି ଲୋକଙ୍କର ନିଶା ହୋଇଯାଇଥାଏ । କିଛି ଲୋକ ତ ଗୋଟିଏ ଦିନରେ ୧୦-୨୦ କପ ଚା ପିଇଥାନ୍ତି । ଏହାସହ କିଛି ଲୋକ ସକାଳେ ବିଛଣା ଛାଡିବା ପୂର୍ବରୁ ଚା ପିଇବାକୁ ପସନ୍ଦ କରିଥାନ୍ତି । ଅର୍ଥାତ ସେମାନେ ସକାଳେ ଖାଲି ପେଟରେ ଚା ପିଇବା ପରେ ଦିନାଚାର୍ଯ୍ୟ ଆରମ୍ଭ କରିଥାନ୍ତି । ଏବେ ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ବେଡ ଟି ର ପରମ୍ପରା ବଢିବାରେ ଲାଗିଛି । ଏହାସହ ଭାରତୀୟ ସଂସ୍କୃତିରେ ଚା ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟି ଯାଇଛି । ଘରକୁ ବନ୍ଧୁ ଆସନ୍ତୁ କି ଛକରେ ଖଟିରେ ବନ୍ଧୁଙ୍କ ସହ ହେଉ, ପ୍ରଥମେ ଚା ପର୍ବ ପରେ ବାକି କଥା । ଚା ପିଇବାକୁ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱାସ୍ଥ୍ୟ ପାଇଁ ହିତକର କହୁଥିବା ବେଳେ ଖାଲି ପେଟରେ ଚା ପିଇବା ଦ୍ୱାରା ଆପଣଙ୍କ ଶରୀରରେ କଣ ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା ବିଶେଷଜ୍ଞଙ୍କ ମତ ।

“ଓନଲୀ ମାଇଁ ହେଲ୍ଥ” ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ସକାଳେ ଖାଲି ପେଟରେ ଚା ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପଡିଥାଏ । ଏହାଦ୍ୱାରା ଆପଣଙ୍କ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇପାରେ । ଯଦି ଆପଣ ଭାବୁଥାନ୍ତି କି ସକାଳେ ଖାଲି ପେଟରେ ଚା ପିଇବା ଦ୍ୱାରା ଆପଣଙ୍କୁ ଫୁର୍ତ୍ତି ଲାଗିଥାଏ ତେବେ ଆପଣ ଭ୍ରମରେ ରହିଛନ୍ତି । ସକାଳେ ଖାଲି ପେଟରେ ଚା ପିଇବା ଦ୍ୱାରା ସାରାଦିନ ଆପଣଙ୍କୁ ଥକ୍କା ଅନୁଭବ ହୋଇଥାଏ । ଏହାସହ ଆପଣ କାମ କରିବା ବେଳେ ଚିଡିଚିଡା ଅନୁଭବ କରିଥାନ୍ତି ।

ଖାଲି ପେଟରେ ଚା ପିଇବା ଦ୍ୱାରା ପାଚନ ତନ୍ତ୍ରରେ ସମସ୍ୟା ଦେଖା ଦେଇଥାଏ । ଅର୍ଥାତ ଏହାଦ୍ୱାରା ଆପଣଙ୍କ ପେଟରେ ରହିଥିବା ଉପକାରୀ ବ୍ୟାକ୍ଟେରିଆଙ୍କର ମୃତ୍ୟୁ ହୋଇଥାଏ । ଏହାସହ ଖାଲି ପେଟରେ ଚା ପିଇବା ଦ୍ୱାରା ଆପଣଙ୍କର ଅଧିକ ପରିଶ୍ରା ହୋଇଥାଏ । କାରଣ ଚା ରେ ଡାଇୟୁରିଟିକ ତତ୍ୱ ଭରି ରହିଥାଏ ।

କେବଳ ସେତିକି ନୁହେଁ ଖାଲି ପେଟରେ ଚା ପିଇଲେ ଅମ୍ଳ ହେବାର ସମ୍ଭାବନା ସହିତ ଆପଣଙ୍କୁ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏହିକାରଣରୁ ଯଥା ସମ୍ଭବ ଆପଣ ଚା ପିଇବା ପୂର୍ବରୁ ମୁହଁ ଧୋଇ କିଛି ଖାଇବାକୁ ଚେଷ୍ଟା କରନ୍ତୁ ।