କନକ ବ୍ୟୁରୋ: ଭାରତରେ କ୍ରିକେଟକୁ ଏକ ଧର୍ମ ବୋଲି ଗ୍ରହଣ କରାଯାଏ , ଆଉ କ୍ରିକେଟରମାନଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ । ଏପରି ସ୍ଥିତିରେ କ୍ରିକେଟରମାନେ ତମାଖୁ ଓ ମଦର ବିଜ୍ଞାପନ କରିବା ଦ୍ୱାରା ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେଇଥାନ୍ତି । ତେଣୁ ଏହାକୁ ରୋକିବାକୁ ଏବେ ଅଣ୍ଟା ଭିଡିଛନ୍ତି ସରକାର । ବିସିସିଆଇକୁ ଚିଠି ଲେଖି ସରକାର ଏହାକୁ ରୋକିବାକୁ ଅନୁରୋଧ କରିଥିବାବେଳେ, ବିସିସିଆଇ ମଧ୍ୟ ଏନେଇ ବିଚାର କରୁଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ବିସିସିଆଇ ସହ କଥା ହେଇଛି । ଖାସ୍ କରି ମ୍ୟାଚ୍ ସମୟରେ ଷ୍ଟାଡିୟମରେ ତମାଖୁର ବିଜ୍ଞାପନ ଓ କିଛି କ୍ରିକେଟରମାନେ ମଧ୍ୟ କରୁଥିବା ତମାଖୁ ଜାତୀୟ ବିଜ୍ଞାପନ ରୋକିବାକୁ ଏଥିରେ କୁହାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସାରା ବିଶ୍ୱରେ କ୍ରିକେଟରମାନଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ଆଉ ସେମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି । ତେଣୁ ଏହାକୁ ରୋକିବାକୁ ବିସିସିଆଇ ନିର୍ଦ୍ଦେଶ ଜାରି କରିବା ଉଚିତ୍ ।
DGHS writes a letter to the BCCI on preventive measures against tobacco advertisement pic.twitter.com/z1eo3rLRiR
— ANI (@ANI) August 1, 2024
ଅନ୍ୟପଟେ ବିସିସିଆଇ ମଧ୍ୟ ଏନେଇ ଚିନ୍ତା କରୁଥିବା ସୂଚନା ମିଳୁଛି । ଖେଳାଳିମାନେ ଯେଭଳି ଏଭଳି ବିଜ୍ଞାପନଠାରୁ ଦୂରରେ ରହିବେ ସେନେଇ ବିସିସିଆଇ ନିୟମ ଆଣିବ ବୋଲି ଜଣାପଡିଛି । ଏହାସହ ଆଇପିଏଲ୍ ସମୟରେ ଷ୍ଟାଡିୟମରେ ନଜର ଆସୁଥିବା ତମାଖୁ ବିଜ୍ଞାପନ ମଧ୍ୟ ଭବିଷ୍ୟତରେ ଆଉ ଦେଖିବାକୁ ମିଳିବନି ବୋଲି ଜଣାପଡିଛି ।