‘କୋଭିଡରେ ଭାରତରେ ୪୭ ଲକ୍ଷ ମୃତ’ । ୱାର୍ଲ୍ଡ ଇକୋନୋମିକ ଫୋରମରେ ଜବାବ ଦେବ ଭାରତ ।

120

କନକ ବ୍ୟୁରୋ: କୋଭିଡରେ ଭାରତରେ ୪୭ ଲକ୍ଷ ମୃତ । ହୁର ଏହି ତଥ୍ୟର ଜବାବ ଭାରତ ଦେବ । ସ୍ୱିଜରଲାଣ୍ଡରେ ଡୋଭାସରେ ଆୟୋଜିତ ହେବକୁ ଥିବା ୱାର୍ଲ୍ଡ ଇକୋନୋମିକ ଫୋରମର ବାର୍ଷିକ ସମ୍ମିଳନୀରେ ଏହାର ଉତ୍ତର ରଖିବ ଭାରତ । ଦୁଇ ବର୍ଷର ଅନ୍ତରାଳ ପରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସାମିଲ ହେବେ । ତାଙ୍କ ସହ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ଏଠି ଉପସ୍ଥିତ ରହିଛନ୍ତି ଯେଉଁମାନେ ବିଭିନ୍ନ ପ୍ରସଙ୍ଗରେ ସେଠାରେ ମତ ଦେବେ ।
ବିଶେଷ ସୁତ୍ରରୁ ଜଣାପଡିଛି, ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ କରୋନା ମୃତ୍ୟୁନେଇ ଜବାବ-ସୁଆଲ କରିବେ । ହୁ ରିପୋର୍ଟରେ କହିଥଲା ଗତ ୨ ବର୍ଷରେ କରୋନାରେ ପ୍ରାୟ ୧.୫କୋଟି ଲୋକଙ୍କର ଜୀବନ ଯାଇଛି । ହୁ ଏହା ମଧ୍ୟ କହିଥିଲା ଯେ ଭାରତରେ ଏହି ଭାଇରସ ୪୭ ଲକ୍ଷ ଲୋକଙ୍କ ଜୀବନ ନେଇଛି । ନୂଆଦିଲ୍ଲୀ କିନ୍ତୁ ଏହି ଦାବିକୁ ଖାରଜ କରିଥିଲା । ଏହା ଦୁର୍ଭାଗ୍ୟପୂର୍ଣ୍ଣ କହିଥିଲେ କେନ୍ଦ୍ର ସରକାର ।
ସରକାରଙ୍କୁ ଘେରିଥିଲେ ବିରୋଧୀ
ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ଏଭଳି ସମ୍ଭାବନା ରହିଛି ଯେ, ୱାର୍ଲ୍ଡ ଇକୋନୋମିକ ଫୋରମରେ ହୁ ପ୍ରତିନିଧିଙ୍କ ସହ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ । ଏହାକୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଥିଲା । ହୁ ଏହି ରେକର୍ଡ ଜାରି କରିବା ପରେ ସରକାର ସଫା ସଫା ମନା କରିଥିଲେ । କହିଥିଲେ ହୁର ତଥ୍ୟକୁ ନେଇ ଭାରତ ସହମତ ନୁହେଁ । ଏହି ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିଥିଲେ ।
ୱାର୍ଲ୍ଡ ଇକୋନୋମିକ ଫୋରମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା
କଂଗ୍ରେସ ହୁର ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ କରିଥିଲେ । ଏଥିରେ କୁହାଯାଇଥିଲା, କୋଭିଡ କାରଣରୁ ଜୀବନ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିଜନଙ୍କୁ ସହାୟତା ଦିଆଯିବା ଦରକାର । ପ୍ରତ୍ୟେକଙ୍କ ପରିବାରକୁ ୪ଲକ୍ଷର ସହାୟତା ମିଳିବା ଦରକାର । ଦଳ ସରକାରଙ୍କୁ ଅନୁରୋଧ କରିଥିଲା ସଂକ୍ରମଣର ଯାଞ୍ଚ ପାଇଁ କୋଭିଡ୍ ଆୟୋଗର ଗଠନ କରାଯିବା ଦରକାର ।ଏଥିରେ ସମସ୍ତ ରାଜନୈତିକ ଦଳର ସଦସ୍ୟ ସାମିଲ ହେବା ଦରକାର । ୱାର୍ଲ୍ଡ ଇକୋନୋମିକ ଫୋରମର ମଞ୍ଚରେ କୋଭିଡ୍ ମହାମାରୀ, ୟୁକ୍ରେନ ସଙ୍କଟ ଭଳି ପ୍ରସଙ୍ଗ ଆଲୋଚନା ହେବ । ଏହା ସହ ଜଳବାୟୁ ପରିବର୍ତ୍ତନ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଗତ ୨ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଆୟୋଜିତ ହେଉଛି । ପରିବେଶଜନିତ କାରଣରୁ ସଙ୍କଟରେ ଥିବା ବିଭିନ୍ନ ଦେଶକୁ ସହାୟତା ନେଇ ଏଥିରେ ଆଲୋଚନା ହେବ ।