କେନ୍ଦ୍ର ସରକାର ଜାରି କଲେ କରୋନା ସଂକ୍ରମିତ ହଟସ୍ପଟ ଜିଲ୍ଲା ତାଲିକା । ରେଡ୍ ଜୋନରେ ଓଡିଶାର ଖୋର୍ଦ୍ଧା, ଅଣ ହଟସ୍ପଟ ତାଲିକାରେ ରାଜ୍ୟର ୭ ଜିଲ୍ଲା ।

6,667

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ଭୁବନେଶ୍ୱର ବଢାଇଲା ଆଉ ଏକ ସମସ୍ୟା । କେନ୍ଦ୍ରର ହଟସ୍ପଟ ବା ରେଡ୍ ଜୋନ ତାଲିକାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା । ତେବେ ଖୋର୍ଦ୍ଧାକୁ ଅଧିକ ସଂକ୍ରମିତ ଜିଲ୍ଲା ଭାବେ ରଖାଯାଇଥିବା ବେଳେ ଭଦ୍ରକ ଜିଲ୍ଲାରେ ସୀମିତ ଅଂଚଳରେ ସଂକ୍ରମଣ ହୋଇଥିବା ଦର୍ଶାଇ ଭଦ୍ରକକୁ ହଟସ୍ପଟ କ୍ଳଷ୍ଟର ତାଲିକାରେ ରଖାଯାଇଛି । ସେହିପରି ଅଣ-କ୍ଲଷ୍ଟର ତାଲିକାରେ କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ, ସୁନ୍ଦରଗଡ଼ ଭଳି ଓଡ଼ିଶାର ୭ ଜିଲ୍ଲା ରହିଛି । ଆଉ ଦେଶର ମୋଟ୍ ୧୭୦ ଜିଲ୍ଲା ହଟସ୍ପଟ ଜିଲ୍ଲା ଭାବେ ତାଲିକା ଜାରି କରିଛନ୍ତି କେନ୍ଦ୍ର ସରକାର ।

ସେପଟେ ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ବେଳେ କେବଳ ହଟସ୍ପଟ୍ ଅଂଚଳରେ ସ୍ଥାନୀୟ ସଂକ୍ରମଣ ହୋଇଥିବା ପୂର୍ବରୁ କହିଥିଲା କେନ୍ଦ୍ର । ଏପରିକି ତିନୋଟି ବିଭାଗରେ ଦେଶରେ ସମସ୍ତ ଜିଲ୍ଲାକୁ ବିଭାଗ କରଯାଇଥିଲା । ପ୍ରଥମ ବିଭାଗ ହଟ ସ୍ପଟ୍ ଜିଲ୍ଲା, ଦ୍ୱିତୀୟ ବିଭାଗ ଅଣ-ହଟସ୍ପଟ୍ ଜିଲ୍ଲା ଓ ଗ୍ରୀନ ଜିଲ୍ଲା । ଯାହାକୁ ଚିହ୍ନଟ କରି ସ୍ଥିତି ଦେଖି ସେଠାରେ କଟକଣା କଡ଼ାକଡ଼ି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ।

ସବୁଠାରୁ ବଡ଼କଥା ହେଲା କି, ଏଥିରେ କେନ୍ଦ୍ର ସରକାର ୧୭୦ ହଟସ୍ପଟ୍ ଜିଲ୍ଲା ଓ ୨୦୭ ଅଣ- ହଟ୍ସ୍ପଟ୍ ଜିଲ୍ଲାକୁ ଚିହ୍ନଟ କରିଛନ୍ତି । ପୂର୍ବରୁ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ୍ ଡିଜି, ଜିଲ୍ଲାପାଳ, ଏସ୍ପି, ମୁନସିପାଲ୍ କମିଶନର୍ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଭିଡିଓ କନଫରେନ୍ସରେ କ୍ୟାବିନେଟ ସଚିବଙ୍କ ଆଲୋଚନା କରିଥିଲେ ।