କନକ ବ୍ୟୁରୋ : ୫ ରାଜ୍ୟରେ ଟିକା ସାର୍ଟିଫିକେଟରୁ ହଟିଲା ମୋଦୀଙ୍କ ଫଟୋ । ଫେବ୍ରୁଆରୀ-ମାର୍ଚ୍ଚରେ ହେବାକୁ ଥିବା ୫ ରାଜ୍ୟରେ କୋଭିଡ୍ ଟିକା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଇ ଦିଆଯାଇଛି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଟିକା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ପାଇଁ କୋୱିନ୍ ପ୍ଲାଟଫର୍ମରୁ ଫିଲଟର ବ୍ୟବହାର କରାଯାଇଛି । ଗତ ବର୍ଷ ଏପ୍ରିଲ-ମେ ମାସରେ କେତେକ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଟିକା ସାର୍ଟିଫିକେଟରେ ମୋଦୀଙ୍କ ଫଟୋକୁ ନେଇ ବିରୋଧୀ ଦଳ ଗୁଡ଼ିକ ପ୍ରତିବାଦ କରିଥିଲେ ।
ଉତ୍ତରପ୍ରଦେଶ, ପଂଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ନିର୍ବାଚନ କମିସନଙ୍କ ଦ୍ବାରା ନିର୍ଦ୍ଧାରିତ ଆଚରଣବିଧି ଲାଗୁ ହୋଇଛି ଏବଂ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଚରଣବିଧି ଲାଗୁ ହୋଇଥିବାରୁ ୫ ରାଜ୍ୟରେ କୋଭିଡ୍-୧୯ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିବ ନାହିଁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା କୋୱିନ୍ ଆପ୍ରୁ ଫିଲ୍ଟର ମାଧ୍ୟମରେ ସାର୍ଟିଫିକେଟ୍ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ଏବଂ ଫଟୋ ହଟାଇ ଦିଆଯିବ ଏବଂ ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ୫ ରାଜ୍ୟରେ ଫେବ୍ରୁଆରି ୧୦ରୁ ମାର୍ଚ୍ଚ ୭ ମଧ୍ୟମରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଭୋଟ୍ ଗଣତି ମାର୍ଚ୍ଚ ୧୦ରେ ହେବ ।