ଲୋକଙ୍କ ଖାମଖିଆଲି ମନୋଭାବକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟର ଉଦବେଗ । କହିଲେ, ତୃତୀୟ ଲହର ଚେତାବନୀକୁ ଲୋକ ପାଣିପାଗ ଅପଡେଟ୍ ଭଳି କରୁଛନ୍ତି ଆଚରଣ 

119

କନକ ବ୍ୟୁରୋ: କରୋନା ସଂକ୍ରମଣ ନେଇ ସପ୍ତାହେ ତଳେ ନିୟମ ଭାଙ୍ଗୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରୁଥିଲା । ଆଉ ଆଜି ତୃତୀୟ ଲହର ଭୟାବହତାକୁ ସାଧାରଣ ଲୋକ କେତେ ହେୟ ଜ୍ଞାନ କରୁଛନ୍ତି ତାର ଅବତାରଣ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହରକୁ ଲୋକ ଆଦୌ ଗୁରତର ସହ ନେଉନାହାଁନ୍ତିି । ବରଂ ପାଣିପାଗ ଅପଡେଟ୍ ଭଳି ଏହାକୁ ଚିନ୍ତା କରୁଛନ୍ତି ।

ଅର୍ଥାତ କରୋନାର ଭୟାବହତାକୁ ଲୋକମାନେ ଆଦୌ ବୁଝୁନଥିବା ଦର୍ଶାଇବାକୁ ଚେଷ୍ଟା କରିଛି ସ୍ୱାସ୍ଥ୍ୟ ବିଭାଗ । ଜୁଲାଇ ମାସରେ ଚିହ୍ନଟ ହୋଇଥିବା ୭୩ ଦଶମିକ ୪ ପ୍ରତିଶତ କରୋନା ଆକ୍ରାନ୍ତ କେବଳ ୫ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏଥିରେ ସାମିଲ ଅଛି କେରଳ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡିଶା । ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ କେନ୍ଦ୍ରୀୟ ଟିମ୍ ଆସି ସ୍ଥିତି ଉପରେ ନଜର ରଖିଛନ୍ତି । ଲୋକେ ଯେବେବି ତୃତୀୟ ଲହର ନେଇ ଆଲୋଚନା କରୁଛନ୍ତି ସେତେବେଳେ ଅତି ହାଲୁକା ଭାବେ ନେଉଛନ୍ତି । ଉତ୍ତରପୂର୍ବାଂଚଳ ରାଜ୍ୟ ଯେପରିକି ମଣିପୁର, ମିଜୋରାମ, ତ୍ରିପୁରା, ଅରୁଣାଚଳ ପ୍ରଦେଶରେ ସଂଖ୍ୟା ବଢ଼ିବା ଚିନ୍ତାଜନକ ହୋଇଛି ।

ସେହିପରି କିଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି ଆସି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସ୍ଥିର ହୋଇ ରହିବା ବି ଚିନ୍ତା ବଢ଼ାଇଛି । ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭିକେ ପଲ କହିଛନ୍ତି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ ତୃତୀୟ ଲହର ଦେଖିବାକୁ ମିଳିଛି । ଏଥିରୁ କେମିତି ଆମେ ଦୂରେଇ ରହିବା ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଉଚି୍ତ । ଆଜି ପ୍ରଧାନମନ୍ତ୍ରୀ ଯେତେବେଳେ ଉତରପୂର୍ବ ରାଜ୍ୟଗୁଡିକର ସ୍ଥିତି ନେଇ ସମୀକ୍ଷା କରିଥିଲେ, ସେତେବେଳେ ସମାନ କଥା ଦୋହରାଇ ଥିଲେ ।

ବଡ କଥା ହେଉଛି ଯେବେ ବି ସଂକ୍ରମଣ ସଂଖ୍ୟା ବଢ଼ିଛି, ସେତେବେଳେ ମହାରାଷ୍ଟ୍ର ଓ କେରଳରୁ ହିଁ ଗ୍ରାଫ୍ ଉପରମୁହାଁ ହୋଇଛି । ଏବେ ଏହି ଦୁଇ ରାଜ୍ୟରେ ସଂକ୍ରମଣ ବଢ଼ିବା ଦେଶ ପାଇଁ ସତର୍କ ଘଂଟି ବୋଲି କୁହାଯାଉଛି ।