କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ ଦରକାର ପଡିଲେ କରାଯିବ ଦିନରେ କର୍ଫ୍ୟୁ ।

488

କନକ ବ୍ୟୁରୋ: ପୁଣି ଆସିଲା ଦିନକର୍ଫ୍ୟୁର ସଙ୍କେତ । କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ ଦରକାର ପଡିଲେ ଦିନରେ କର୍ଫ୍ୟୁ କରାଯିବ । ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟବେକ୍ଷକ ଗସ୍ତକରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟେଷ୍ଟିଂ କେମିତି ବଢିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି । ସ୍କୁଲ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସଂକ୍ରମଣ ବଢିଲାଣି । ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଦରକାର ପଡିଲେ ଜିଲ୍ଲାପାଳମାନେ ନାଇଟ୍ କର୍ଫ୍ୟୁ ଲୋଡିପାରିବେ । ରିପୋର୍ଟ ପଠାଇ ସରକାରଙ୍କଠୁ ଅନୁମତି ନେଇପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ତେବେ ଗତକାଲି ଦିନକର୍ଫ୍ୟୁ ନେଇ ବାଚସ୍ପତି କହିଥିଲେ । ସ୍ଥିତି ଦେଖି ସରକାର ଦିନରେ କର୍ଫ୍ୟୁ ଲଗାଇ ପାରନ୍ତି ବୋଲି କହିଥିଲେ । ବାଚସ୍ପତିଙ୍କ କହିବା ପରେ ସରକାର ଦିନ କର୍ଫ୍ୟୁ ନେଇ ସ୍ପଷ୍ଟୀକରଣ ରଖିଥିଲେ । ରାଜ୍ୟରେ କରୋନା ସ୍ଥିତିକୁ ଅନୁଧ୍ୟାନ ପରେ ଦିନ କର୍ଫ୍ୟୁ ଲାଗିପାରେ ବୋଲି ପ୍ରତିକ୍ରିୟା ଦେଇଥିଲେ ବାଚସ୍ପତି । ଏହା ଉପରେ ପ୍ରତିକ୍ରିୟା ଦେଇ ଏସଆରସି କହିଥିଲେ, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଦିନ କର୍ଫ୍ୟୁ ଲାଗିବ ନାହିଁ । କୋଭିଡ ସ୍ଥିତି ଉପରେ ରାଜ୍ୟ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ଏଥିସହ କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ କହିଥିଲେ ଏସଆରସି । ଆଉ ଏବେ ପୁଣି ବାଚସ୍ପତିଙ୍କ କଥାକୁ ଦୋହରାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।