‘ଫୋନି’ ପରେ ସ୍ୱାସ୍ଥ୍ୟସେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା । ଡାକ୍ତରଖାନାରେ ସ୍ଥିତି ସ୍ୱାଭାବିକ ପାଇଁ ନିର୍ଦ୍ଦେଶ ଦେଲେ ପ୍ରତାପ ଜେନା ।

54

କନକ ବ୍ୟୁରୋ : ପ୍ରଳୟଙ୍କରୀ ବାତ୍ୟା ଫୋନି ଓ ଏହାର  ପରବର୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା । ସମୀକ୍ଷା ସମୟରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସନ୍ତୋଷ ପ୍ରକଟ କରିବା ସହିତ ପ୍ରଭାବିତ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ସ୍ଥିତି ସ୍ୱାଭାବିକ ଲାଗି ଯୁଦ୍ଧକାଳୀନ ଭିତିରେ ଦକ୍ଷେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ସମୟରେ ୫ଟି ସର୍ବାଧିକ କ୍ଷତିଗ୍ରସ୍ତ ଜିଲ୍ଲା ଉପରେ ଗୁରୁତ୍ୱଆରୋପ କରାଯାଇଛି । ସେହିସବୁ ଜିଲ୍ଲା ଗୁଡିକ ହେଲା କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ପୁରୀ । ଏହି ସବୁ ଜିଲ୍ଲାରେ ବର୍ତମାନ ସୁଦ୍ଧା ୭୦୩ଟି ମେଡିକାଲ ରିଲିଫ କେନ୍ଦ୍ର କାର୍ଯ୍ୟ କରୁଛି । ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ୧୯୪୫ ଜଣ ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୭୧ ଜଣଙ୍କର ସୁରକ୍ଷିତ ପ୍ରସବ ହୋଇଛି । ୯୯୩୦ ଜଣ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବାବେଳେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୋଟ୍ ୧୦୩୧ ସରକାରୀ ଡାକ୍ତରଖାନା ମଧ୍ୟରୁ ୩୦୨ଟିର ପୁନରୁଦ୍ଧାର ହୋଇସାରିଛି । ଅନ୍ୟ ଗୁଡିକୁ ଯୁଦ୍ଧକାଳୀନ ଭିତିରେ ମରାମତି ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ ମହଜୁଦ ରହିଛି । ଇତି ମଧ୍ୟରେ ଏହି ଜିଲ୍ଲା ଗୁଡିକୁ ୪୩ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ରୋଗ ସର୍ବେକ୍ଷଣ ନିମନ୍ତେ ପଠାଯାଇଛି । ବାତ୍ୟା ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ସମେତ କଟକ, କେନ୍ଦ୍ରାପଡା, ଜଗତ୍ସିଂହପୁର ଓ ଖୋରଧା ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ନିରନ୍ତର ବିଦ୍ୟୁତ ବ୍ୟବସ୍ଥା ହୋଇଛି । ଏହାଛଡା ଜଗତତ୍ସିଂହପୁର ଜିଲ୍ଲାକୁ ୧୦ଜଣ, କେନ୍ଦ୍ରାପଡାକୁ ୧୧ ଓ ପୁରୀକୁ ୨୬ ଜଣ ଡାକ୍ତରଙ୍କୁ ପଠାଯାଇଛି । ସେହିଭଳି କଟକରେ ୩୯, ଜଗତତ୍ସିଂହପୁରରେ ୩୭, କେନ୍ଦ୍ରାପଡାରେ ୨୩, ଖୋର୍ଦ୍ଧାରେ ୪୧ ଓ ପୁରୀରେ ୫୯ଟି ମେଡିକାଲ ଟିମ୍
ମୁତୟନ ହୋଇଛନ୍ତି ।

ଜଳ ବିଶୋଧନ ଲାଗି ଖୋଲାରେ ଥିବା ପାନୀୟଜଳ ଉତ୍ସ ଗୁଡିକର ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି । ଉପରୋକ୍ତ ୫ଟି ଜିଲ୍ଲାର ୧୨୩୧ଟି ଜଳଉତ୍ସକୁ ଆଜି ସୁଦ୍ଧା ବିଶୋଧନ କରାଯାଇଥିବା ପ୍ରକାଶ । ବାତ୍ୟା ପରବର୍ତୀ ସ୍ୱାସ୍ଥ୍ୟ ସୂଚନାକୁ ବ୍ୟାପକ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି ।