ଦିନ ବିତୁଛି, ଭୟ ଘାରୁଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୪୩, ସମସ୍ତ ରାଜ୍ୟ ସରକାରଙ୍କୁ ଗାଇଡଲାଇନ୍ ଜାରି କଲା କେନ୍ଦ୍ର ।

496

କନକ ବ୍ୟୁରୋ : ଚିନ୍ତା ବଢାଉଛି କରୋନା । ଭାରତରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ଆଜି ୪୩ରେ ପହଞ୍ଚିଛି । ଏନେଇ ଆଜି ପୁଣି ଥରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସମୀକ୍ଷା ବୈଠକ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ-ରାଜ୍ୟପାଳଙ୍କ ସହିତ ଆଲୋଚନା କରିଛନ୍ତି ହର୍ଷବର୍ଦ୍ଧନ ।

ସମସ୍ତ ରାଜ୍ୟ ସରକାରଙ୍କୁ କରୋନା ଗାଇଡଲାଇନ୍ ଜାରି କରିବା ସହିତ ରାପିଡଆକ୍ସନ ଟିମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଭାରତରେ ୪୩ ଆକ୍ରାନ୍ତଙ୍କ ମଧ୍ୟରୁ କେରଳରେ ୬ ଜଣ, ତାମିଲନାଡୁରେ ୨, ଆଗ୍ରାରେ ୬ ଜଣ, ଦିଲ୍ଲୀରେ ୩ ଜଣ, ନୋଏଡା, ଗାଜିଆବାଦ ଓ ତେଲେଙ୍ଗାନାରେ ଗୋଟିଏ କରୋନା ରୋଗୀଙ୍କ ଚିକିତ୍ସା କରୋନା ଆଇସୋଲେସନ ୱାର୍ଡରେ ଚାଲିଛି ।

ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ବେଶ ଗୁରୁତର ସହ ନେଇଛନ୍ତି । ସମସ୍ତ ରାଜ୍ୟକୁ କରୋନା ଭୂତାଣୁର ମୁକାବିଲା ପାଇଁ ଗାଇଡଲାଇନ ପଠାଇଛନ୍ତି କେନ୍ଦ୍ର ସରକାର । ଖାଲି ସେତିକି ନୁହେଁ ରାଜ୍ୟ ସରକାରମାନେ ତୁରନ୍ତ ରାପିଡଆକ୍ସନ ଟିମ୍ ତିଆରି କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

କେରଳରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ଆଜି ଏକ ୩ ବର୍ଷ ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ନିକଟରେ ଇଟାଲୀରୁ ଫେରିଥିବା ଏହି ଶିଶୁର ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଛି । ବର୍ତ୍ତମାନ ଦେଶରେ କରୋନା ଭୂତାଣୁ ଯାଂଚ କରିବା ପାଇଁ ୪୬ଟି ସ୍ୱତନ୍ତ୍ର ଲ୍ୟାବ କାର୍ଯ୍ୟକାରୀ ହେଉଛି ।

ଯେଉଁମାନେ ୬ ସପ୍ତାହ ଭିତରେ ବିଦେଶରୁ ଆସିଥିବେ ସେମାନେ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି । ଯଦି ଅବଗତ ନ କରାଇଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କରୋନାକୁ ମୁକାବିଲା କରିବାରେ ଭାରତ ସରକାର ସକ୍ଷମ ଅଛନ୍ତି । ଏଥିପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ହୋଇଥିଲା । ଦେଶରେ ୩୦ଟି ବିମାନବନ୍ଦରରେ ଯାଂଚ କରାଯାଉଛି । ୮ଲକ୍ଷ ଲୋକଙ୍କ ଯାଂଚ ଶେଷ ହୋଇଛି । ବିଶେଷ କରି ବିଦେଶୀ ପର୍ଯ୍ୟଟକଙ୍କ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ଫୋନରେ ମଧ୍ୟ କରୋନା ଭୂତାଣୁ ସମ୍ପର୍କିତ ସଚେତନତା ବାର୍ତ୍ତା ଦିଆଯାଉଛି ।