କନକ ବ୍ୟୁରୋ: ସାରା ରାଜ୍ୟ ସ୍ତବ୍ଧ । କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଚାଞ୍ଚଲ୍ୟ । ଓଡ଼ିଶାର ରାଜନୀତି ଇତିହାସରେ କେବେ ବି ଏପରି ଘଟଣା ଘଟିନଥିଲା । ଏପରି ଘଟଣା ଘଟିବ ବୋଲି ହୁଏତ କେହି ବି କଳ୍ପନା କରିନଥିବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ଗୁଳି କେହି ପେଶାଦାର ଅପରାଧୀ ମାରିନଥିଲେ, ମାରିଥିଲେ ଜଣେ ପୁଲିସ କର୍ମଚାରୀ ।

Advertisment

ସମୟ: ଦିନ ପ୍ରାୟ ୧୨ଟା
ସ୍ଥାନ: ଗାନ୍ଧୀ ଛକ, ବ୍ରଜରାଜନଗର

ଗୁଳି ବ୍ରଜରାଜନଗରରେ ଫୁଟିଥିଲା, କିନ୍ତୁ ଏହାର ଶବ୍ଦ ରାଜଧାନୀ ଭୁବନେଶ୍ୱର ସମେତ ସାରା ଦେଶରେ ଶୁଭିଥିଲା । ନଗରପାଳ, ଉପନଗରପାଳ ଗ୍ରିଭାନ୍ସ ସେଲ୍ର ଉଦଘାଟନ ଉତ୍ସବରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ ସ୍ୱାସ୍ଥମନ୍ତ୍ରୀ ନବ ଦାସ । ଗାନ୍ଧୀ ଛକ ନିକଟରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି କର୍ମୀମାନେ ଭିଡ଼ ଜମାଇଥିଲେ । ପୁଲିସ, ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କାରର ଡୋର ଖୋଲିଥିଲା, କାରରୁ ବାହାରିଥିଲେ ନବ ଦାସ । ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ତାଙ୍କ ସମର୍ଥକ ଫୁଲମାଳ ପିନ୍ଧାଇବା ବେଳେ ହଠାତ୍ ଶୁଭିଥିଲା ଗୁଳିର ଶବ୍ଦ । କେହି କିଛି ବୁଝିବା ପୂର୍ବରୁ ଛାତିରେ ହାତ ଦେଇ ପଛକୁ ଝୁଙ୍କି ପଡ଼ିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଘଟଣା ଏତେ ଶୀଘ୍ର ଘଟିଥିଲା, ଯାହାକୁ ତତକ୍ଷଣାତ ବୁଝି ପାରିନଥିଲେ ତାଙ୍କର ସୁରକ୍ଷା ଅଧିକାରୀ । ଯେତେବେଳେ ମନ୍ତ୍ରୀଙ୍କ ଉପରେ ଗୁଳିମାଡ଼ ହୋଇଥିବା ସମସ୍ତେ ଜାଣିଲେ, ସେତେବେଳେ ନବ ଦାସ ଚେତା ହରାଇ ସାରିଥିଲେ । ତାଙ୍କର ଛାତିରେ ଗୁଳି ପଶି ପଛ ପଟେ ବାହାରି ସାରିଥିଲା ।

ଛାତିକୁ ଥରାଇ ଦେଲା ଭଳି ଘଟଣା ହେଉଛି ଗୁଳି କେହି ଅପରାଧୀ ନୁହଁନ୍ତି, ମାରିଥିଲେ ଫାଣ୍ଡିରେ କାର୍ଯ୍ୟରତ ପୁଲିସ ଏଏସ୍ଆଇ ଗୋପାଳ ଦାସ । ପୁଲିସ ପୋଷାକ ପିନ୍ଧିଥିଲେ, ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ଭିସ ରିଭଲଭର ଆଣିଥିଲେ । ଯେଉଁ ରିଭଲଭରରେ ସେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥାନ୍ତେ, ସେହି ରିଭରଭରରେ ମନ୍ତ୍ରୀଙ୍କ ଜୀବନ ନେବା ପାଇଁ ଚଳାଇଥିଲେ ଗୁଳି । ମନ୍ତ୍ରୀଙ୍କୁ ଗୋଟିଏ ରାଉଣ୍ଡ ଗୁଳିମାରିବା ପରେ ଦ୍ୱିତୀୟ ଗୁଳି ଚଳାଇଥିଲେ । ସୂଚନା ଅନୁସାରେ ତାହା ମନ୍ତ୍ରୀଙ୍କ ଦେହରେ ନବାଜି, ଜଣେ ବିଜେଡି କର୍ମୀଙ୍କ ଦେହରେ ଘଷି ହୋଇ ଚାଲି ଯାଇଥିଲା । ସମସ୍ତଙ୍କ ନଜରକୁ ଆସିଯିବା ପରେ ଆଉ ଦୁଇଟି ଫାଙ୍କା ଗୁଳି ଚାଳନା କରିଥିଲା ଅଭିଯୁକ୍ତ ।

ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ । ହେଲେ ବ୍ରଜରାଜନଗର ଆଇଆଇସି ଓ ଜଣେ କନେଷ୍ଟବଳ ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ବିଜେଡି କର୍ମୀ ମଧ୍ୟ ଘେରି ଯାଇଥିଲେ । ବନ୍ଧୁକ ସହ ତାଙ୍କୁ କାବୁ କରାଯାଇଥିଲା ।

ଗୁରୁତର ଆହତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ଏତେ ସଙ୍କଟାପନ୍ନ ଥିଲା ଯେ ତାଙ୍କୁ ତୁରନ୍ତ ଏୟାର ଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ଅଣାଯାଇଥିଲା । ଭୁବନେଶ୍ୱର ବିମାନବନ୍ଦରରୁ ଆପୋଲୋ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଥିଲା । ଖୁବ କମ ସମୟ ଭିତରେ ଅପୋଲୋ ପହଞ୍ଚାଯାଇଥିଲା । ଆପୋଲୋର ବିଶେଷଜ୍ଞ ଡାକ୍ତରୀ ଟିମ୍ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । କଟକ ଏସସିବି ମେଡିକାଲ ଓ କ୍ୟାପିଟାଲ୍ ହସପିଟାଲର ଡାକ୍ତରୀ ଟିମ୍ ଆପୋଲୋରେ ପହଞ୍ଚିଥିଲେ ।