ଦେଶରେ ୬୦ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଗକୁ ବଢୁଛି ଟିକାକରଣ

89

କନକ ବ୍ୟୁରୋ : ଦେଶରେ କରୋନା ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନ ଏବେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଦେଶରେ ୬୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା । ବୁଧବାର ଦିନ ଟ୍ୱିଟକରି ମଣ୍ଡାଭିୟା କହିଛନ୍ତି ଯେ ସମସ୍ତଙ୍କ ସ୍ୱାସ୍ଥ୍ୟ ଓ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନ ଆଗକୁ ବଢୁଛି ।

ସେ ଏକ ଗ୍ରାଫିକ୍ସ ସେୟାର କରିଛନ୍ତି । ଯେଉଁଥିରେ ସୂଚିତ କରାଯାଇଛି କି ପ୍ରଥମ ୧୦ କୋଟି ଟିକା ଦେବାକୁ ୮୫ ଦିନ ସମୟ ଲାଗିଥିଲା । ଏହାପରେ ୪୫ ଦିନରେ ୨୦ କୋଟି, ୨୯ ଦିନରେ ୩୦ କୋଟି, ୨୪ ଦିନରେ ୪୦ କୋଟି ଓ ବାକି ୨୦ ଦିନରେ ଟିକାକରଣ ଅଭିଯାନରେ ମୋଟ ୬୦ କୋଟି ଲୋକଙ୍କୁ ଟିକା ଦିଆଯାଇଛି ।

 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ୭ ଟା ସୁଦ୍ଧା ମିଳିଥିବା ରିପୋର୍ଟ ମୁତାବକ ଟିକାକରଣ ଅଭିଯାନର ୨୨୧ ଦିନରେ ୩୮,୨୯,୦୩୮ ଜଣ ଲୋକଙ୍କୁ ଟିକାର ପ୍ରଥମ ଖୋରାକ ଦିଆଯାଇଥିବା ବେଳେ ୧୬,୩୮,୫୧୩ ଜଣଙ୍କୁ ଟିକାର ଉଭୟ ଖୋରାକ ଦିଆଯାଇଛି । କହିରଖୁ କି ଦେଶରେ ଜାନୁଆରୀ ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଯେଉଁଥିରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା । ଫେବୃଆରୀ ୨ ତାରିଖରୁ କୋଭିଡ ଯୋଦ୍ଧାମାନଙ୍କୁ ଟିକା ଦେବା ଆରମ୍ଭ ହୋଇଥିଲା ।
ଅନ୍ୟପଟେ ମାର୍ଚ୍ଚ ପହିଲାରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ଓ ବ୍ୟାଧି ପୀଡିତ ଲୋକଙ୍କୁ ଟିକା ଦିଆଯାଇଥିଲା ।