ବେଶ ବଦଳାଇ ହସ୍ପିଟାଲ ଯାଇଥିଲେ ମୋଦିଙ୍କ ମନ୍ତ୍ରୀ, ମାଡ ମାରିଲେ ସିକ୍ୟୁରିଟି ଗାର୍ଡ ।

303

କନକ ବ୍ୟୁରୋ : ଆକ୍ସନରେ ମୋଦିଙ୍କ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । କରୋନା କାଳରେ ଲୋକେ କେମିତି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ତାହାର ତଦାରଖ ପାଇଁ ବିଭିନ୍ନ ହସ୍ପିଟାଲ ଅଚାନକ ଗସ୍ତ କରୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ହସ୍ପିଟାଲରେ ପହଞ୍ଚି ସମସ୍ୟା କଣ ରହିଛି ତାହା ଜାଣିବା ପରେ ଅଧିକାରୀଙ୍କ ସହ ସମୀକ୍ଷା କରି ଏହାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି । ଆଉ ଏଭଳି ଅଚାନକ ଗସ୍ତ କରିବା ମନ୍ତ୍ରୀଙ୍କୁ ମଧ୍ୟ ମହଙ୍ଗା ପଡିଥିଲା । ଯେତେବେଳେ ମନ୍ତ୍ରୀ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ମନ୍ତ୍ରୀଙ୍କୁ କିଛି ସମୟ ହଟହଟା ହେବାକୁ ପଡିଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସଫଦରଜଙ୍ଗ ହସ୍ପିଟାଲରେ ବସିଥିବା ବେଳେ ତାଙ୍କୁ ଜଣେ ଗାର୍ଡ ବାଡିରେ ପିଟିଥିଲେ । ସଫଦରଜଙ୍ଗ ହସ୍ପିଟାଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ବେଳେ ଏହି ଘଟଣା ଉପରୁ ପରଦା ହଟାଇଛନ୍ତି କେନ୍ଦ୍ରମନ୍ତ୍ରୀ । ମନସୁଖ କହିଛନ୍ତି, କିଛିଦିନ ପୂର୍ବେ ପରିଚୟ ବଦଳାଇ ସଫଦରଜଙ୍ଗ ହସ୍ପିଟାଲରେ ପହଞ୍ଚିଥିଲି । ସେଠାରେ ପହଞ୍ଚିବା ପରେ ଅନେକ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳିଲା । ଏପରିକି ହସ୍ପିଟାଲ ପରିସରରେ ଜଣେ ବୃଦ୍ଧାଙ୍କୁ ଷ୍ଟ୍ରେଚର ଦେବାକୁ ମଧ୍ୟ କେହି ନଥିଲେ । ଏହି ସମୟରେ ବେଞ୍ଚରେ ବସିଥିବା ବେଳେ ଜଣେ ଗାର୍ଡ ବାଡିରେ ପିଟିବାକୁ ପଛାଇ ନଥିଲେ । ଏଭଳି ଅବ୍ୟବସ୍ଥା ବାବଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରିଥିଲି । ସେତେବେଳେ ଗାର୍ଡକୁ ନିଲମ୍ବନ କରାଯାଇଛି କି ନାହିଁ ବୋଲି ମୋଦି ପଚାରିଥିଲେ । କିନ୍ତୁ ଜଣେ ବ୍ୟକ୍ତି ନୁହେଁ ବରଂ ବ୍ୟବସ୍ଥାକୁ ବଦଳାଇବା ସହ ଉନ୍ନତମାନର ହେବା ଆବଶ୍ୟକ ବୋଲି କହିଥିଲେ ମନସୁଖ । ଆଉ ମନସୁଖଙ୍କ ଏହି କାହାଣୀ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଗୋଟିଏ ପଟେ ସ୍ୱାସ୍ଥ୍ୟବ୍ୟବସ୍ଥାର ବିକଳ ଚିତ୍ର ବାବଦରେ ମନସୁଖ କହିଥିବା ବେଳେ ଅନ୍ୟପଟେ କରୋନା କାଳରେ ଡାକ୍ତରଙ୍କ କାର୍ଯ୍ୟକୁ ବେଶ ପ୍ରଂଶସା କରିଛନ୍ତି । କରୋନା ଭଳି ସଙ୍କଟଜନକ ସ୍ଥିତିରେ ଡାକ୍ତର ମାନେ ଯେଉଁଭଳି କାର୍ଯ୍ୟ କରିଛନ୍ତି ତାହା ବେଶ ପ୍ରଂଶସନୀୟ । ଡାକ୍ତରଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବା ଆବଶ୍ୟକ ବୋଲି କହିଛନ୍ତି ମନସୁଖ ।