ସାବଧାନ ! କରୋନାରୁ ସୁସ୍ଥ ହେବା ପରେ ପିଲାଙ୍କ ଠାରେ ଦେଖାଯାଉଛି ଏସବୁ ସମସ୍ୟା

1,182

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମିଛି । କିନ୍ତୁ ଯେତିକି ସଂଖ୍ୟା ପ୍ରତିଦିନ ଆସୁଛି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ପିଲା ଅନେକ ସଂକ୍ରମିତ ହେଉଛନ୍ତି । ଓଡିଶାରେ ମଧ୍ୟ ପ୍ରତିଦିନ ୧୦୦ ଉପରେ ରହୁଛି ୧୮ ବର୍ଷରୁ କମ ବୟସର ପିଲାଙ୍କ ସଂକ୍ରମଣ । ଅନେକ ବିଶେଷଜ୍ଞ ପିଲାଙ୍କ କରୋନାକୁ ନେଇ ବିଭିନ୍ନ ମତ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ମତ ହେଉଛି ପିଲାମାନଙ୍କୁ କରୋନା ହେଲେ ସେମାନେ ଗୁରୁତର ଭାବରେ ସଂକ୍ରମିତ ହେଉନାହାନ୍ତି । କିନ୍ତୁ ପିଲାମାନଙ୍କ କରୋନାକୁ ନେଇ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତାହା ଅନେକଙ୍କୁ ଚିନ୍ତାରେ ପକାଇଛି । ପିଲାମାନଙ୍କୁ କରୋନା ହେବାର ଗୋଟିଏ ଦୁଇମାସ ପରେ ଗୋଟିଏ ନୂଆ ରୋଗ ସେମାନଙ୍କ ପାଖରେ ଦେଖିବାକୁ ମିଳୁଛି । ସେହି ରୋଗଟିର ନାଁ ହେଉଛି ଏମଆଇଏସ-ସି ଅର୍ଥାତ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିନଡ୍ରୋମ ।

ଏଥିରେ ଅନେକ ଶିଶୁ ଅତ୍ୟଧିକ ଗୁରୁତର ହେଉଛନ୍ତି । କରୋନା ଓ ଏମଆଇଏସ-ସି ମଧ୍ୟରେ ସମ୍ପର୍କକୁ ନେଇ ଗବେଷଣା ଚାଲିଛି । ଅନେକ ଶିଶୁରୋଗ ବିଶେଷଜ୍ଞ ଏହାର କିପରି ସଠିକ ଚିକିତ୍ସା କରାଯାଇପାରିବ ତାକୁ ନେଇ ଗେବେଷଣାଲ କରୁଛନ୍ତି ।ଆମେରିକା ଏକାଡେମି ଅଫ ପେଡିଆଟ୍ରିକ୍ସର ସୂଚନା ଅନୁସାରେ ଅତି କମ ସଂଖ୍ୟାରେ ଶିଶୁ ଏହି ରୋଗରେ ଗୁରୁତର ଭାବରେ ପିଡିତ ହେଉଛନ୍ତି । ଅନେକ ଶିଶୁ ଏହି ରୋଗରୁ ଭଲ ମଧ୍ୟ ହେଉଛନ୍ତି ବୋଲି ଏଏପି ମତ ରଖିଛନ୍ତି ।

କିନ୍ତୁ ଅନେକ ଶିଶୁଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା , ହୃଦ ସ୍ପନ୍ଦନ କମିଯିବା, କିଡନି ଖରାପ ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଏହାର କଣ ସବୁ ଲକ୍ଷଣ ଉପରେ ନଜର ପକାଇବା । ୨୪ ଘଣ୍ଟାରୁ ଅଧିକ ସମୟ ଧରି ଜ୍ୱର ଲାଗି ରହିବା । ୪୮ ଘଣ୍ଟା ରୁ ଅଧିକ ସମୟ ୧୦୦ ଡିଗ୍ରୀ ଫାରାନାଇଡ ଜ୍ୱର ରିହିବା ।ପେଟ କାଟିବା, ବାନ୍ତି ହେବା,ତରଳ ଝାଡା । ବେକ ଦରଜହେବା, ଚର୍ମରେ ନାଲି ରଙ୍ଗ ହୋଇଯିବା ।ଆଖି ନାଲି ହୋଇପଡିବା,ଅତ୍ୟଧିକ ଦୁର୍ବଳ ଲାଗିବା ।ହଠାତ ନିଶ୍ୱାସ ପ୍ରଶ୍ୱାସରେ ନେବାରେ କଷ୍ଟ ହେବା । ଛାତିରେ କଷ୍ଟ ଅନୁଭବ ହେବା । ସ୍ମରଣଶକ୍ତି କମିଯିବା, ମାନସିକ ଦ୍ୱନ୍ଦ୍ୱ ଭିତରେ ରହିବା । ଓଠ ଓ ପାଟି ନୀଳ ପଡିଯିବା, ଶୋଇଲେ ଉଠି ନପାରିବା । ତେବେ ଏପରି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଏହାରି ଭିତରେ କିନ୍ତୁ ବିଶେଷଜ୍ଞ ମତ ଦେଇଛନ୍ତି ଅଭିଭାବକଙ୍କୁ ସତର୍କ ରହିବା ସହ କରୋନାରୁ ବଞ୍ଚିବା ପାଇଁ ସଫାସୁତୁରା ରହିବାର ଆବଶ୍ୟକତା ରହିଛି ।