ବ୍ୟାପିଲା ଝାଡ଼ାବାନ୍ତି ଓ ଜଣ୍ଡିସ୍, ପୁରୀ ଓ ଭୁବନେଶ୍ବରରେ ବହୁ ସଂଖ୍ୟାରେ ଆକ୍ରାନ୍ତ

ସତ୍ୟବାଦୀର ଗୋଟିଏ ପୋଖରୀ ସଂକ୍ରମିତ, ରେଡ୍ ଫ୍ଲାଗ୍ ସୂଚନା ମାରିଲା ସ୍ବାସ୍ଥ୍ୟ ବିଭାଗ

97

କନକ ବ୍ୟୁରୋ: ପିଇବା ପାଣି ଅବ୍ୟବସ୍ଥାର ବିପଜ୍ଜନକ ଦିଗଟି ସାମ୍ନାକୁ ଆସିଛି। ବାତ୍ୟା ପ୍ରଭାବିତ ପୁରୀ ଓ ଭୁବନେଶ୍ବରରେ ବ୍ୟାପିଛି ଝାଡ଼ାବାନ୍ତି ଓ ଜଣ୍ଡିସ୍। ପୁରୀର ଏକାଧିକ ଅଞ୍ଚଳ ଓ ରାଜଧାନୀର ଯଦୁପୁର ଅଞ୍ଚଳରେ ଝାଡ଼ାବାନ୍ତି ଘଟଣା ନଜରକୁ ଆସିଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଝାଡ଼ାବାନ୍ତି ନ ବ୍ୟାପିବା ନେଇ ସବୁ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ କହୁଥିଲେ ହେଁ, ତୃଣମୂଳସ୍ତରରେ ଚିତ୍ର କିନ୍ତୁ ଅଲଗା। ବହୁ ସ୍ଥାନରେ ବିଶୁଦ୍ଧ ପାଣିର ଅଭାବ ଯୋଗୁଁ ଆଗାମୀ ଦିନରେ ଆହୁରି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।

ପୁରୀ ଜିଲ୍ଲାର ଜଳ ଉତ୍ସଗୁଡ଼ିକ ବହୁମାତ୍ରାରେ ପ୍ରଦୂଷିତ ହୋଇଯାଇଛି। ସତ୍ୟବାଦୀ ବ୍ଲକ ବଡ଼ହାଟ ଅଞ୍ଚଳରେ ଏକ ଜଳଉତ୍ସର ପାଣି ସବୁଠୁ ଅଧିକ ସଂକ୍ରମିତ ବୋଲି ଚିହ୍ନଟ କରାଯାଇଛି। ସେହି ଜଳ ଉତ୍ସକୁ ରେଡ୍ ଫ୍ଲାଗ୍ ବର୍ଗ ଭାବେ ଚିହ୍ନଟ କରିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଏହାବ୍ୟତୀତ ଜିଲ୍ଲାର ୨୭୩୭ଟି କୂଅ ପାଣି ଏପର୍ଯ୍ୟନ୍ତ ସୁରକ୍ଷିତ ବୋଲି କର୍ତ୍ତୃପକ୍ଷ କହି ପାରୁନାହାନ୍ତି। ‘ଫନି’ ତାଣ୍ଡବ ପରେ ଖୋଲା ଜଳ ଉତ୍ସ ଥିବା କୂଅ, ପୋଖରୀ ଓ ନାଳଗୁଡ଼ିକ ପ୍ରଦୂଷିତ ହୋଇ ଯାଇଥିବା ବେଳେ ସେଥିରେ ଗଛ ଓ ମୃତ ପଶୁପକ୍ଷୀ ପଡ଼ି ପାଣି ପଚି ଯାଇଛି। ଜଳ ଉତ୍ସ ସଂକ୍ରମଣ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସେଗୁଡ଼ିକର ପର୍ଯ୍ୟାୟ କ୍ରମେ ପରୀକ୍ଷା କରିଛନ୍ତି। ଜିଲ୍ଲାର ପ୍ରଭାବିତ ବ୍ଲକଗୁଡ଼ିକରେ ଥିବା ମୋଟ ୪୦୫୯ଟି କୂଅ ପାଣିର ନମୁନା ପରୀକ୍ଷଣ ପରେ ସେଗୁଡ଼ିକୁ ବିଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।  ପ୍ରଥମ ପର୍ଯ୍ୟାୟରେ ସେଗୁଡ଼ିକ ବିଶୋଧନ ହୋଇସାରିଛି। ତେବେ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ କରିବାକୁ ଦ୍ବିତୀୟ ପର୍ଯ୍ୟାୟ ବିଶୋଧନ କରାଯିବା କଥା। ହେଲେ ଏପର୍ଯ୍ୟନ୍ତ ୧୩୨୫ଟି କୂଅର ଦ୍ବିତୀୟ ପର୍ଯ୍ୟାୟ ବିଶୋଧନ କରାଯାଇଛି। ବଳକା ୨୭୩୭ କୂଅ ଏପର୍ଯ୍ୟାନ୍ତ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇ ପାରିନାହିଁ।

ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେତେକ ପୋଖରୀର ଜଳ ନମୁନା ଯାଞ୍ଚ କରାଯାଇଥିଲା। ସେଥିରୁ ସତ୍ୟବାଦୀ ବଡ଼ହାଟରେ ଥିବା ଏକ ପୋଖରୀ ପାଣି ଆଦୌ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ସିଡିଏମ୍ଓ ସୂଚନା ଦେଇଛନ୍ତି। ଉକ୍ତ ପୋଖରୀକୁ ରେଡ୍ ଫ୍ଲାଗ ବର୍ଗ ଭାବେ ଚିହ୍ନଟ କରାଯାଇ ପାଣି ବ୍ୟବହାର କରିବାକୁ ବାରଣ କରାଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ପୁରୀ ସହର ସମେତ ଉତ୍ତରା, ପିପିଲି, ବ୍ରହ୍ମଗିରିର ମୋଟ ୭୫ଟି ନଳକୂଅର ପାଣି ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୭୫ଟି ନଳକୂଅ ପାଣିରେ ପିଏଚ୍(ପୋଟେନସିଆଲ ଅଫ୍ ହାଇଡ୍ରୋଜେନ) ମାନ ଠିକ୍ ରହିଥିବାରୁ ତାହା ବ୍ୟବହାର ଯୋଗ୍ୟ ବୋଲି ରିପୋର୍ଟରେ କୁହାଯାଇଛି।