କୋର୍ଟରେ ପହଂଚିଲା ସ୍ୱାସ୍ଥ୍ୟସେବା !! ରାଜ୍ୟରେ ରୋଗୀ ସେବା ବିପର୍ଯ୍ୟସ୍ତ : ଜବାବ ଦାଖଲ ପାଇଁ ସରକାରଙ୍କୁ ମହଲତ

କୋର୍ଟରେ ପହଂଚିଲା ସ୍ୱାସ୍ଥ୍ୟସେବା !! ରାଜ୍ୟରେ ରୋଗୀ ସେବା ବିପର୍ଯ୍ୟସ୍ତ : ଜବାବ ଦାଖଲ ପାଇଁ ସରକାରଙ୍କୁ ମହଲତ

କନକ ବ୍ୟୁରୋ : କଟକ ବଡ଼ ଡାକ୍ତରଖାନାରେ ହରମୋନ୍, ଥାଏରଏଡ୍ ପରୀକ୍ଷଣ ମେସିନ୍ ସହିତ ସିଟି ସ୍କାନ୍ ଅଚଳ ହେବା ଘଟଣାକୁ ନେଇ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ‘ଏସ୍‌ସିବି’ରେ ‘ ମାଗଣା ଚିକିତ୍ସାର ବିକଳ ଚିତ୍ର-ଥାଏରଏଡ୍, ହରମୋନ୍ ଓ ସିଟି ସ୍କାନ୍ ମେସିନ୍ ଅଚଳ’ ଶୀର୍ଷକ ଖବର ପ୍ରକାଶ ପାଇଥିବା ବେଳେ ଏହାକୁ ଆଧାର କରି ଏହି ରିଟ୍ ପିଟିସନ୍ ରୁଜୁ ହୋଇଥିଲା। ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଫେବ୍ରୁଆରି ୧୯ରେ ଦାୟର ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଡିଏମଇଟି, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକ, ଅଧ୍ୟକ୍ଷ ତଥା ଡିନ୍, ‌ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ, ଅଧ୍ୟକ୍ଷ ତଥା ଡିନ୍, ବୁର୍ଲାସ୍ଥିତ ଭିମସାର୍‌ର ନିର୍ଦ୍ଦେଶକ ଓ ଅଧୀକ୍ଷକ, ବାରିପଦା, ବାଲେଶ୍ବର, ବଲାଙ୍ଗୀର, କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ, କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତୋକତ୍ତର କର୍କଟ ପ୍ରତିଷ୍ଠାନ ସହିତ କଟକ ଶିଶୁ ଭବନକୁ ପକ୍ଷଭୁକ୍ତ କରାଯାଇଥିଲା। ଫେବ୍ରୁଆରି ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

୧୯ ତାରିଖ‌ର ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା ଯେ, ବଞ୍ଚିବାର ଅଧିକାର ସହିତ ସ୍ବାସ୍ଥ୍ୟ ସେବା ଜଡ଼ିତ ହୋଇଥିବା ବେଳେ ଲୋକମାନଙ୍କୁ ସ୍ବା‌ସ୍ଥ୍ୟ ସେବା ପ୍ରଦାନ କରିବା ସରକାରଙ୍କ ଦାୟିତ୍ବ। ସରକାରୀ ମେଡିକାଲଗୁଡିକରେ ଲୋକମାନଙ୍କୁ ସମୟରେ ସ୍ବାସ୍ଥ୍ୟସେବା ପ୍ରଦାନରେ ବିଫଳତା ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରୁଛି। କିନ୍ତୁ ଏସସିବି ସହିତ ରାଜ୍ୟର ପ୍ରମୁଖ ସରକାରୀ ହସ୍ପିଟାଲଗୁଡିକରେ ଅନେକ ସମୟରେ ବିଭିନ୍ନ ଟେଷ୍ଟିଂ ମେସିନ୍ ଅଚଳ ହୋଇ ରହୁଥିବା ବେଳେ ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

ଏ ନେଇ ବିଭିନ୍ନ ରିପୋର୍ଟରୁ ସ୍ପଷ୍ଟ ହେଉଛି ଯେ, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ବହୁ ଦାମିକିଆ ମେସିନର ଉପଯୁକ୍ତ ବ୍ୟବହାର ହୋଇ ପାରୁନାହିଁ ଓ କେତେକ ଖରାପ ରହୁଛି। ସେହିଭଳି ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କେମୋଥେରାପି ଓ ରେଡିଏସନ୍ ଥେରାପି ୱିଙ୍ଗ ମଧ୍ୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। କର୍ମଚାରୀ, ଟେକ୍‌ନିସିଆନ୍ ଓ ଯନ୍ତ୍ରପାତି ଅଭାବାରୁ ଅତ୍ୟାଧୁନିକ ମେସିନ୍ ବ୍ୟବହାର ନ ହୋଇ ପଡ଼ି ରହିଛି। ରାଜ୍ୟ ସରକାରଙ୍କ ହସ୍ପିଟାଲଗୁଡିକରେ ବିଭିନ୍ନ ମେସିନ୍ ଠିକ୍ ଭାବେ କାର୍ୟ୍ୟ କରୁଛି କି ନାହିଁ, କଣ ଅଭାବ ଅସୁବିଧା ରହିଛି, କଣ ମରାମତି ଆବଶ୍ୟକ, ଟେକନିକାଲ ଷ୍ଟାଫ ଉପଲବ୍ଧ ନଥିବାରୁ କୌଣସି ମେସିନ୍ ବ୍ୟବହାର ନ ହୋଇ ପଡ଼ି ରହିଛି କି, ଆବଶ୍ୟକ ସଂଖ୍ୟକ କର୍ମଚାରୀ/ବିଶେଷଜ୍ଞ ଓ ଟେକ୍‌ନିସିଆନ୍ ଅଛନ୍ତି କି ନାହିଁ ଏ ନେଇ ଉତ୍ତର ରଖିବାକୁ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe