ରୋଗ ଲୁଚାଇଲେ ଖର୍ଚ୍ଚ ଉଠାଇବନି ସ୍ୱାସ୍ଥ୍ୟ ବୀମା କମ୍ପାନୀ । ଜାଣନ୍ତୁ ଏନେଇ କ’ଣ ରହିଛି ନିୟମ

7,664

କନକ ବ୍ୟୁରୋ : ଯଦି ରକ୍ତଚାପ ଓ ମଧୁମେହ ଭଳି ରୋଗ ଆପଣ ସ୍ୱାସ୍ଥ୍ୟ ବୀମା କମ୍ପାନୀକୁ ଲୁଚାଇଛନ୍ତି କିମ୍ବା କୌଣସି ପୁର୍ବ ବେମାରୀ ବା ପ୍ରି-ଏକଜିଷ୍ଟିଙ୍ଗ ଡିଜିଜ ରହିଛି ତେବେ ସାବଧାନ ହୋଇଯାନ୍ତୁ । କାରଣ ଲୁଚାଇଥିବା ରୋଗ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ସେ ନେଇ ଆପଣଙ୍କୁ କୌଣସି ଚିକିତ୍ସା ଜନିତ ଖର୍ଚ୍ଚ ମିଳିବ ନାହିଁ ।

କଣ ଏହି ପ୍ରି- ଏକଜିଷ୍ଟିଙ୍ଗ ଡିଜିଜ

ସ୍ୱାସ୍ଥ୍ୟବୀମା ପଲିସି ନେବାର ୪୮ ମାସ ଆଗରୁ ଯଦି ବ୍ୟକ୍ତିଙ୍କୁ କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି କିମ୍ବା କିଛି ଗଭୀର କ୍ଷତ ରହିଛି ତେବେ ଏହାକୁ ପ୍ରି-ଏକଜିଷ୍ଟିଙ୍ଗ ଡିଜିଜ ବୋଲି ଗଣାଯିବ । ପଲିସି ନେଉଥିବା ବ୍ୟକ୍ତିକୁ ବୀମା ବିଭାଗକୁ ନିଜର ଏହି ସବୁ ବେମାରୀ ବିଷୟରେ ଆଗରୁ ଜଣାଇଦେବା ଉଚିତ । ଖାସକରି ଥାଇରଏଡ, ଆସ୍ଥମା, ଟାଇପ-୧, ଟାଇପ-୨ ଡାଇବେଟିସ କିମ୍ବା ହୃତରୋଗ ଜନିତ କିଛି ଗମ୍ଭୀର ସମସ୍ୟା ରହିଛି ତେବେ ଏ ସମ୍ପର୍କିତ ତଥ୍ୟ ଦେବା ଖୁବ ଜରୁରୀ । କିନ୍ତୁ ଏ ନେଇ ବୀମା ଧାରକକୁ ଅଧିକ ପ୍ରିମିୟମ ଦେବାକୁ ପଡିଥାଏ । ନିଜ ମେଡିକ୍ଲେମ ଏଜେନ୍ଟିକୁ ଏସବୁ ବିଷୟରେ ଆଗରୁ ଜଣାଇ ନାହାଁନ୍ତି ତେବେ ଆପଣଙ୍କ ସମ୍ପୁର୍ଣ୍ଣ ଖର୍ଚ୍ଚ ନିଜକୁ ବହନ କରିବାକୁ ପଡିବ । ପ୍ରାୟ ୩ ବର୍ଷ ଯାଏଁ ଏ ସମ୍ପର୍କିତ ମେଡିକାଲ କ୍ଲେମ ସମ୍ଭବ ନୁହେଁ । କେବଳ ସାଂଘାତିକ ରୋଗ ନୁହେଁ ଯଦି ଧୁମ୍ରପାନ ଓ ମଦ୍ୟପାନର ଅଭ୍ୟାସ ରହିଛି କିମ୍ବା ଡ୍ରଗ୍ସ ଆଦିର ସେବନ କରୁଛନ୍ତି କିମ୍ବା ଅସ୍ତୋପଚାର କାରଣରୁ କିଛି ଔଷଧ ସେବନ କରୁଛନ୍ତି ହେଲେ ମଧ୍ୟ ଏ ନେଇ ବୀମା କମ୍ପାନୀକୁ ଜଣାନ୍ତୁ ।

ଜାଣନ୍ତୁ ଅପେକ୍ଷା କାଳର ସୁବିଧା :

ଆପଣ ବୀମା କିଣିବା ପରେ କମ୍ପାନୀ ବୀମା ବାବଦରେ ସବିଶେଷ ତଥ୍ୟ ପଢିବାକୁ ୧୫-୨୦ ଦିନ ସମୟ ଦେଇଥାଏ । ଯଦି ପଲିସି ଆପଣଙ୍କୁ ପସନ୍ଦ ନଆସେ ତାହେଲେ ଆପଣ ପିଲିସି ଫେରାଇ ଆଣିପାରିବେ । ସେହି ୱେଟିଂ ପିରିୟଡ ବା ଅପେକ୍ଷା କାଳ ଭିତରେ ଆପଣ କିଛି ଇନସୁରାନ୍ସ କ୍ଲେମ କରି ପାରିବେ ନାହିଁ ସିନା ଯଦି ହଠାତ ଦୁର୍ଘଟଣା ହୁଏ ତାହେଲେ ବୀମାର ସୁବିଧା ନେଇପାରିବେ   ।

ବୀମା ସୁବିଧା ନେବା ପାଇଁ ଥିବା ଜରୁରୀ ନିୟମ :

ବୀମାର ଶେଷ ତାରିଖ ପରେ କମ୍ପାନୀ ବୀମା ପୁନଃନବୀକରଣ ପାଇଁ ଅତିରିକ୍ତ ୩୦ ଦିନର ସମୟ ଦେଇଥାଏ । ସେ ଭିତରେ ଯଦି ପ୍ରମିୟମ ନ ଭରାଯାଏ ତେବେ ଆପାତକାଳୀନ ମେଡିକାଲ ସୁବିଧା ମିଳିବ ନାହିଁ । ଏହାଛଡା ମେଡିକାଲ ଇନସୁରାନ୍ସ କ୍ଲେମ କରିବା ପାଇଁ ରୋଗୀ ଅନୁନ୍ୟ ୨୪ ଘଂଟା ମେଡିକାଲରେ ଭର୍ତ୍ତି ହେବା ଜରୁରୀ ନଚେତ କ୍ଲେମ ଖାରଜ ହୋଇଯିବ । ଇନସୁରାନ୍ସରେ ନୋମିନିର ନାମ ଯୋଡିବାକୁ ଭୁଲନ୍ତୁ ନାହିଁ ।

ସ୍ୱାସ୍ଥ୍ୟ ବୀମା ନେବା ଆଗରୁ କେଉଁ କେଉଁ ଜିନିଷ ବୀମା ପଲିସ ଅନ୍ତର୍ଗତ ଓ କଣ ନାହିଁ, ଏ ନେଇ ବୀମା ଗ୍ରହଣକାରୀ ଟିକିନିଖି ବୁଝିବା ନିହାତି ଆବଶ୍ୟକ । ଏହା ଦ୍ୱାରା ପରେ ଆପଣଙ୍କ ମନରେ କୌଣସି ଦ୍ୱନ୍ଦ ରହିବ ନାହିଁ । କିନ୍ତୁ ଜାଣି ରଖନ୍ତୁ ଏଡସ, ଦନ୍ତ ଚିକିତ୍ସା, ମାନସିକ ରୋଗ, ଲିଙ୍ଗଗତ ତଥା କସମେଟିକ ଅସ୍ତୋପଚାର ତଥା ଆତ୍ମଘାତୀ କାର୍ଯ୍ୟକଳାପ ସମ୍ଭନ୍ଧୀୟ ଚିକିତ୍ସା ଆଦି ପାଇଁ ସଧାରଣ ମେଡିକାଲ ଇନସୁରାନ୍ସ ନିଆ ଯାଇ ପାରିବ ନାହିଁ । ଆପଣ ଚିକିତ୍ସିତ ହେଉଥିବା ହସ୍ପିଟାଲ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ଜିଲ୍ଲା ନିଗମ ଅଧୀନରେ ରେଜିଷ୍ଟର ହୋଇଥିବା ଆବଶ୍ୟକ ନଚେତ ଏହା ବୀମା ଅନ୍ତର୍ଭୁକ୍ତ ହେବ ନାହିଁ ।

ଯଦି ବୀମା କମ୍ପାନୀ କୌଣସି ଅସଙ୍ଗତ କାରଣ ଦେଖାଇ ଆପଣଙ୍କ କ୍ଲେମ ଖାରଜ କରୁଥିବାର ଆପଣ ଜାଣୁଛନ୍ତି ତେବେ ତୁରନ୍ତ ବୀମା କମ୍ପାନୀ ବିରୁଦ୍ଧରେ ଅଭି୍ଯୋଗ କରନ୍ତୁ । ଏଥିରେ ଅସୁବିଧାର ସମ୍ମୁଖୀନ ହେଲେ ଆପଣ ସିଧା ଆଇଆରଡିଏ କିମ୍ବା ଖାଉଟି ଅଦାଲତ ବିଭାଗରେ ଅଭିଯୋଗ ନେଇ ଯାଇ ପାରିବେ ।