କରୋନା ସଂକ୍ରମଣ ଭିତରେ ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର , ଟେଷ୍ଟିଂକୁ ନେଇ ଦେଲେ ଏଭଳି ନିର୍ଦ୍ଦେଶ

102

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି କ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଦୈନିକ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି କି ଜନବହୁଳ ଅଞ୍ଚଳ ଓ ହଟସ୍ପଟ ଅଞ୍ଚଳରେ ରାଜ୍ୟ ସରକାରମାନେ ଟେଷ୍ଟିଂ ବୃଦ୍ଧି କରିବା ନିହାତି ଜରୁରୀ ।

ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଅର୍ଥାତ ଯେଉଁମାନଙ୍କ ପ୍ରତି ସର୍ବାଧିକ ବିପଦ ରହିଛି ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ଟେଷ୍ଟ କରାଯାଉ । ଏହାସହ ଯେଉଁଠି କମ ସ୍ଥାନରେ ଅଧିକ ଲୋକ ବାସ କରୁଛନ୍ତି ସେହିଭଳି ସ୍ଥାନରେ ଟେଷ୍ଟିଂ ହାର ବୃଦ୍ଧି କରିବାକୁ ପ୍ରତି ରାଜ୍ୟ ସରକାରଙ୍କୁ କେନ୍ଦ୍ର ତରଫରୁ ଚିଠି ଲେଖା ଯାଇଛି ।

କହିରଖୁ କି ୨ ଦିନ ହେବ ଦେଶରେ କରୋନା ଗ୍ରାଫ ତଳମୂହାଁ ହୋଇଛି । ଗତ ୨୪ ଘଂଟାରେ ଦେଶରେ ୨.୩୮ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହା ରବିବାର ତୁଳନାରେ ୭.୮ ପ୍ରତିଶତ କମ ବୋଲି କୁହାଯାଇଛି । ରବିବାର ଦିନ ପଜିଟିଭ ହାର ୧୪.୭୮ ପ୍ରତିଶତ ଥିବା ବେଳେ ଏହା କମ ହୋଇ ସୋମବାର ଦିନ ପଜିଟିଭ ହାର ୧୩.୧୧ ପ୍ରତିଶତ ରହିଛି । ସେହିଭଳି ଦେଶର ସବୁଠାରୁ ଅଧିକ ସଂକ୍ରମିତ ସହର ଦିଲ୍ଲୀ ଓ ମୁମ୍ବାଇରେ ବି ଦୈନିକ ସଂକ୍ରମଣ କମିଛି ।