କରୋନାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରତିକ୍ରିୟା : ସତର୍କ ନ ହେଲେ ୩ୟ ଲହର ଆସିବ; ୩ୟ ଲହର ପାଇଁ ସରକାର ସ୍ବତନ୍ତ୍ର ପ୍ଲାନ୍ କରିବା ଜରୁରୀ

149

କନକ ବ୍ୟୁରୋ : ତୃତୀୟ ଲହର ପାଇଁ ଆମ ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଦରକାର ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି। ସେ କହିଛନ୍ତି, ଜେନମ ସିକ୍ୟୁଏନ୍ସିକୁ ବଢେଇବାକୁ ପଡ଼ିବ । ଏହା ଦ୍ୱାରା ଆମେ ନୂଆ ଷ୍ଟ୍ରେନ ଉପରେ ନଜର ରଖି ପାରିବା । ମହାରାଷ୍ଟ୍ର ପରି ଓଡ଼ିଶାକୁ ବି ଏପରି କରିବାକୁ ପଡ଼ିବ। ସବୁ କୋଭିଡ କଟକଣାକୁ କଡ଼ାକଡ଼ି କରିବାକୁ ପଡ଼ିବ ।

ଓଡ଼ିଶାରେ ନଭେମ୍ବର ମାସ ପର୍ଯ୍ୟନ୍ତ କୋଭିଡ କଟକଣା ରଖିବାକୁ ପଡ଼ିବ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଏପରିକି ବର୍ଷ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ ନିୟମକୁ ମାନିବାକୁ ପଡ଼ିବ, କାରଣ ଅନେକ ଦେଶରେ ତୃତୀୟ ଲହର ଆସିଗଲାଣି । ଆମେ ଯଦି ସତର୍କ ନ ରହିବା ତେବେ ତୃତୀୟ ଲହର ଶୀଘ୍ର ଆସିଯିବ । ଅକ୍ଟୋବର ଶେଷ ଆଡ଼କୁ ଆମ ରାଜ୍ୟରେ ତୃତୀୟ ଲହର ଆସିବାର ବହୁ ସମ୍ଭାବନା ରହିଛି ।

ଯେଉଁ ଜାଗାରେ ଅଧିକ କରୋନା ମାମଲା ରହିବ, ସେଠି ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ସମ୍ଭାବନା ଅଧିକ । ଯେହେତୁ ଆମର କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି ତେଣୁ ଏଠି ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ତେଣୁ ଆମର ସଂକ୍ରମଣ ରେଟକୁ କମେଇବାକୁ ପଡ଼ିବ । ସେ ଦୃଷ୍ଟିରୁ ଆମକୁ କୋଭିଡ ନିୟମ ମାନିବାକୁ ପଡ଼ିବ । ସରକାର ତ ଯାହା ପଦକ୍ଷେପ ନେଉଛନ୍ତି, ମାତ୍ର ଆମେ କଟକଣାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ଦରକାର ।

ସେ ପୁଣି କହିଛନ୍ତି, ଟିକା ନେବା ପରେ ବି ସଂକ୍ରମଣ ହେଉଛି । ତେଣୁ , ଲୋକମାନେ କଟକଣା ମାନନ୍ତୁ । ଡବଲ ଡୋଜ ନେବା ପରେ ୯୫ ପ୍ରତିଶତ ମୃତ୍ୟୁ ଆଶଙ୍କା କମିଯିବ । ମାତ୍ର ୫ ପ୍ରତିଶତ ପାଇଁ ବି ଆମକୁ ସତର୍କ ରହିବାକୁ ପଡ଼ିବ । ଥରେ ସଂକ୍ରମିତ ହେବା ପରେ ପୁଣି ସଂକ୍ରମିତ ହେଲେ ରୋଗୀ ଅଧିକ ଗୁରୁତର ହେଉଛନ୍ତି । ଭୂତାଣୁ ଶରୀର ଭିତରେ ରହିପାରେ । ଡେଲଟା ଭେରିୟଣ୍ଟ ବହୁ ଜଟିଳ। ଏହି ଭୂତାଣୁ ଆମ ଭିତରେ ଅଧିକ ଦିନ ରହିପାରେ ।