ସରିଛି ସଂଘର୍ଷ, ଏବେ ଘର ବାହୁଡ଼ାର ବେଳ । ଋଷିକେଶ ଏମ୍ସରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

86

କନକ ବ୍ୟୁରୋ: ସାରା ବିଶ୍ୱ ଦେଖିଛି ମୁକ୍ତିର ଆନନ୍ଦ । ଉତ୍ତରାଖଣ୍ଡ ଟନେଲରେ ଉଦ୍ଧାର ହୋଇ ୪୧ ଜଣ ଶ୍ରମିକ ପାଇଛନ୍ତି ନୂଆ ଜୀବନ, ଯାହାକୁ ନେଇ ଆଜି ସବୁଆଡେ ଚର୍ଚ୍ଚା । ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏମ୍ସ ନିଆଯାଇଛି । ସୁସ୍ଥ ହେବା ପରେ ଉଦ୍ଧାର ଶ୍ରମିକ ଘରକୁ ଫେରିବେ । ଆଉ ଉଦ୍ଧାର ସମୟର ଚିତ୍ର ଦେଖି ଭାବବିହ୍ୱଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • ସରିଛି ସଂଘର୍ଷ, ଏବେ ଘର ବାହୁଡ଼ାର ବେଳ
  • ଋଷିକେଶ ଏମ୍ସରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରୁ ଉଦ୍ଧାର ୪୧ ଜଣ ଶ୍ରମିକ ଚିନୁକ ହେଲିକପ୍ଟରରେ ବସି ଯାଇଛନ୍ତି ଋଷିକେଶ । ୧୭ ଦିନର ସଂଘର୍ଷ ପରେ ଏମାନେ ସୁଡଙ୍ଗରୁ ମୁକୁଳିଛନ୍ତି । ଆଉ ଚେହେରାରୁ ବାରି ହୋଇପଡୁଛି ମୁକ୍ତିର ଆନନ୍ଦ । ଋଷିକେଶର ଏମ୍ସ ହସ୍ପିଟାଲରେ ଶ୍ରମିକମାନଙ୍କୁ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବନ୍ଦୋବସ୍ତ କରାଯାଇଛି । ବୁଧବାର ଏଥିପାଇଁ ସମସ୍ତ ଶ୍ରମିକଙ୍କୁ ଏୟାରଲିଫ୍ଟ କରି ଅଣାଯାଇଥିଲା । ନିଜ ନିଜ ଘରକୁ ଫେରିବା ପୂର୍ବରୁ ଶ୍ରମିକମାନେ ସଂପୂର୍ଣ୍ଣ ସୁସ୍ଥ ହେବେ । ଏଥିପାଇଁ ଉତ୍ତରାଖଣ୍ଡ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ବ୍ୟବସ୍ଥା କରିଛନ୍ତି । ୨ ସପ୍ତାହରୁ ଅଧିକ ସମୟ ଧରି ସୁଡଙ୍ଗ ଭିତରେ ଅତି ପ୍ରତିକୂଳ ପରିସ୍ଥିତିରେ ରହିଥିବାରୁ ଏମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଆସିଥାଇପାରେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ । ୨ ଦିନ ନୀରିକ୍ଷଣରେ ରହିବା ପରେ ଘର ବାହୁଡା ପାଇଁ ପ୍ରସ୍ତୁତି କରିବ ପ୍ରଶାସନ ।

ସାରାଦେଶର ପ୍ରାର୍ଥନା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ପରେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଛି । ତେଣୁ ଉଦ୍ଧାରକାରୀ ଦଳ ଓ ବିଶେଷଜ୍ଞଙ୍କୁ ଧନ୍ୟବାଦ ଦେବା ସହ ଶ୍ରମିକଙ୍କ ସାହସକୁ ପ୍ରଶଂସା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ସୁଡଙ୍ଗ ବାହାରେ ତିଆରି କରାଯାଇଥିବା ଅସ୍ଥାୟୀ ହସ୍ପିଟାଲରେ ପହଞ୍ଚି ଶ୍ରମିକମାନଙ୍କୁ ଜଣ ଜଣ କରି ବେଡରେ ସାକ୍ଷାତ କରିଛନ୍ତି ପୁଷ୍କର ସିଂ ଧାମୀ । ଏପରିକି ପ୍ରତ୍ୟେକ ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିସହ ଉଦ୍ଧାର କାମରେ ନିୟୋଜିତ ସଦସ୍ୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ।

ଦେଶ ବିଦେଶର ବିଶେଷଜ୍ଞ ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଏଜେନ୍ସିକୁ ଅଶେଷ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭଳି ଉଦ୍ଧାର କାମର ଟିକିନିଖି ବିବରଣୀ ନେଉଥିଲେ ସେକଥା ମଧ୍ୟ କହିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଅନ୍ୟ ପକ୍ଷରେ ଗତକାଲି ସଂଧ୍ୟାରେ ଶ୍ରମିକମାନଙ୍କୁ ଉଦ୍ଧାର ବେଳେ ଏହାର ସିଧା ପ୍ରସାରଣ ଦେଖିଥିଲେ ପ୍ରଧାନମନ୍ତ୍ରୀ । କ୍ୟାବିନେଟ ବୈଠକ ସମୟରେ ଶ୍ରମିକଙ୍କ ଉଦ୍ଧାର ଦେଖି ମୋଦୀ ଭାବ ବିହ୍ୱଳ ହୋଇପଡିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏପଟେ ଉତରତାଶୀ ସୁଡଙ୍ଗ ଦୁର୍ଘଟଣା ପରେ ରାଜ୍ୟରେ ସମସ୍ତ ସୁଡଙ୍ଗର ସମୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ମଧ୍ୟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇସାରିଛନ୍ତି ।