କନକ ବ୍ୟୁରୋ: ୧୭ ଦିନ ପରେ ଉଦ୍ଧାର ହେଲେ ଉତରାଖଣ୍ଡର ସିଲକିୟାରା ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ । ମଙ୍ଗଳବାର ସନ୍ଧ୍ୟାରେ ଏହି ଶ୍ରମିକମାନେ ନୂଆ ଜୀବନ ପାଇଛନ୍ତି । ପ୍ରାୟ ଦେଢଘଂଟାର ଅପରେସନରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ଉଦ୍ଧାର କାମର ସଫଳତା ପରେ ଶ୍ରମିକଙ୍କ ପରିବାର, ଉଦ୍ଧାରକାରୀ ଦଳ ଓ ପ୍ରଶାସନ ଆଶ୍ୱସ୍ତି ହୋଇଛନ୍ତି । ଉଦ୍ଧାର କରିବାରେ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛନ୍ତି ର୍ୟାଟ ହୋଲ୍ ମାଇନସର୍୍ । ୨୦୧୪ ରେ ଏହାକୁ ନିଷେଧ କରାଯାଇଥିଲା । ଏହାପୂର୍ବରୁ ଆମେରିକୀୟ ଅଗର୍ ମେସିନ୍ ସହିତ ଡ୍ରିଲିଂ ମଧ୍ୟ କରାଯାଉଥିଲା । ମାତ୍ର ଶେଷ ୧୦ ମିଟର ଖନନ ରେଟ୍ ମାଇନିଂଙ୍କ ଦ୍ୱାରା ଅପରେସନ କରାଯାଇଥିଲା । ଯେଉଁଥିପାଇଁ ଶ୍ରମିକଙ୍କ ନିକଟରେ ପହଂଚିବା ସମ୍ଭବ ହୋଇଥିଲା । ଅପରେସନ ବେଳେ ଝାଡଖଣ୍ଡ ନିବାସୀ ବିଜୟ ହରୋଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା । ଏହାପରେ ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ । ୧୭ଦିନରେ ରେସକ୍ୟୁ ଟିମ ଯାହା କରି ଦେଖାଇଛି, ତାହା କୌଣସି ପର୍ବତ ବିଜୟଠାରୁ କମ ନୁହେଁ । ୧୩ ନଭେମ୍ବରରେ ୪୧ ଜଣ ଶ୍ରମିକ ଟନେଲ ଭିତରେ ଫସିଯାଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଉଦ୍ୟମ କରିଥିଲେ । ଟନେଲ କାଟିବାକୁ ଯେଉଁ ମେସିନ ଦରକାର ହୋଇଥିଲା, ତାହାକୁ ଦେଶର ବିଭିନ୍ନ ସ୍ଥାନରୁ ମଗାଯାଇଥିଲା । ହେଲିକପଟର ଓ ଏୟାରଫୋର୍ସର ବିମାନକୁ ବି ଲଗାଯାଇଥିଲା । ଏସଡିଆରଏଫ, ଏନଡିଆରଫ, ବିଆରଓ, ଆଇଟିବିପି, ବାୟୁସେନାଠୁ ଆରମ୍ଭ କରି ପୁଲିସ ପ୍ରଶାସନ ଉଦ୍ଧାର କାମରେ ମୋର୍ଚ୍ଚା ସମ୍ଭାଳିଥିଲେ । ଏହି ସମୟରେ ଅନେକ ପ୍ରତିବନ୍ଧକ ଆସିଛି । କିନ୍ତୁ ଏହି ପ୍ରତିବନ୍ଧକକୁ କାଟି ଅପରେସନକୁ ସଫଳ କରିଛନ୍ତି ଉଦ୍ଧାର କାରୀ ଟିମ୍ ।