ଟିକାକରଣ ପାଇଁ ବଢ଼ିଲା ସମ୍ମୁଖ ଯୋଦ୍ଧା ତାଲିକା । ସାମିଲ ହେଲେ ବନବିଭାଗ, ବ୍ୟାଙ୍କ ,ବୀମା ,ରେଳବାଇ ଅକ୍ସିଜେନ ପ୍ଲାଂଟ କର୍ମଚାରୀ ଓ ପଶୁ ଡାକ୍ତର ।

271

କନକ ବ୍ୟୁରୋ : ଟିକାକରଣ ପାଇଁ ବଢ଼ିଲା ସମ୍ମୁଖ ଯୋଦ୍ଧାଙ୍କ ତାଲିକା । ସାମିଲ ହେଲେ ବନବିଭାଗ, ବ୍ୟାଙ୍କ ,ବୀମା ,ରେଳବାଇ, ଅନଲାଇନ ଟଙ୍କା କାରବାରରେ ନିଯୁକ୍ତ ଥିବା କର୍ମଚାରୀ । ସେହିପରି, ଏଟିଏମ ମେଣ୍ଟେନାନ୍ସ କର୍ମଚାରୀ, ଚାଇଲ୍ଡ ଲାଇନ କର୍ମଚାରୀ, ୱାନ ଷ୍ଟପ୍ ସେଣ୍ଟରରେ କାମ କରୁଥିବା କର୍ମଚାରୀ, ଅକ୍ସିଜେନ ପ୍ଲାଂଟ କର୍ମଚାରୀ , ପେଟ୍ରୋଲ ପମ୍ପ କିମ୍ବା ଗ୍ୟାସ ଫିଲିଙ୍ଗ ଷ୍ଟେସନରେ କାମ କରୁଥିବା କର୍ମଚାରୀ ଓ ପଶୁ ଡାକ୍ତରଙ୍କୁ ବି ସମ୍ମୁଖ ଯୋଦ୍ଧା ତାଲିକାରେ ସାମିଲ କରି ଟିକା ଦେବାକୁ କୁହାଯାଇଛି । ଏନେଇ ପଦକ୍ଷେପ ନେବାକୁ  ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମୁନସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ବର୍ତମାନ ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକାକୁ ଗୁରୁତ୍ୱ ଦିଆଯାଉଛି । ତେବେ ଯଥେଷ୍ଟ ପରିମାଣରେ ଟିକା ଉପଲବ୍ଧ ହେଲେ ଏହି ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ଚିଠିରେ କୁହାଯାଇଛି ।

ଏସବୁ ଭିତରେ ପିଲାଙ୍କ ଯତ୍ନ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି । ସଂକ୍ରମଣରୁ ଦୂରେଇ ରହିବା ପାଇଁ ୨ ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଖାସକରି ବାହାରକୁ ଗଲାବେଳେ ପିଲାଙ୍କୁ ମାସ୍କ ପିନ୍ଧାଇବା ସହ ସାବୁନରେ ହାତକୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବାକୁ କୁହାଯାଇଛି ।

ଏହାବାଦ କରୋନର ନୂଆ ନୂଆ ମ୍ୟୁଟାଣ୍ଟ ଆସୁଥିବା ବେଳେ ନୂଆ ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ କେବଳ କାଶ, ଥଣ୍ଡା ସହ ଦେହ ହାତ ପୀଡା କରୋନା ଲକ୍ଷଣ ଭାବେ ଜଣା ଯାଉଥିଲା । କିନ୍ତୁ ଏବେ  ଡାଇରିଆ, ବାନ୍ତି, ପେଟ ବଥା, ଥଣ୍ଡା, କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । କେବଳ ପିଲା ନୁହଁନ୍ତି ଗର୍ଭବତୀ ମହିଳାଙ୍କ ସମେତ ସବୁ ବୟସବର୍ଗର ବ୍ୟକ୍ତିଙ୍କ ଠାରେ ଏଭଳି ଲକ୍ଷଣ ଦେଖିଲେ ଟେଷ୍ଟ କରାଇ ନିଅନ୍ତୁ । ଖାସକରି ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।